

ଠକେଇ ଅଭିଯୋଗରେ ଫେରାର୍ ହୋଇଥିବା ବ୍ୟକ୍ତି ଜଣକ ହେଲେ ଶିବରାମ ପାତ୍ର । ସେ ଏକ ପ୍ରତିଷ୍ଠିତ ସାମ୍ବାଦିକ ୟୁନିଅନର ସ୍ଥାନୀୟ ମୁଖ୍ୟ ଭାବେ କାମ କରିବା ସହ ସହରର ଏକ ସାମ୍ବାଦିକ ଅନୁଷ୍ଠାନର ସାଧାରଣ ସଂପାଦକ । ଜିଏସଟି ଠକେଇକୁ ନେଇ ସେ ରିପୋର୍ଟ କରିବା ସହ ବିଭିନ୍ନ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଯୋଗଦାନ କରନ୍ତି । ନିକଟ ଅତିତରେ ବିଜୁଳି ବିଭାଗ ସହ ତାଙ୍କର କୌଣସି ମାମଲା ହେବା ପରେ ସେ କିଛି ଦିନ ଲାଗି ଫେରାର୍ ହୋଇ ପୁଣି ସହରକୁ ଫେରିଥିଲେ । ନିକଟରେ କୋଟି କୋଟି ଟଙ୍କା ଜିଏସଟି ଠକେଇକୁ ନେଇ ଜିଏସଟି ବିଭାଗ ନାନା ଲୋକଙ୍କୁ ନୋଟିସ୍ ଦେଉଥିବା ବେଳେ ଶ୍ରୀ ପାତ୍ର ନାୟକ ଏଂଟରପ୍ରାଇଜେସ ନାମରେ ଏକ ଜାଲ୍ କମ୍ପାନୀ କରି ସେଥିରେ ୧୨ କୋଟି ଟଙ୍କାର ବେପାର କରି ବହୁ ପରିମାଣର ଜିଏସଟି ଠକେଇ କରିଥିବା ନେଇ ସୂଚନା ମିଳୁଥିବା ବେଳେ ବିଭାଗ ପକ୍ଷରୁ ଏନେଇ କୌଣସି ସଠିକ୍ ସୂଚନା ଦିଆଯାଇନାହିଁ । ଶ୍ରୀ ପାତ୍ରଙ୍କ ସହ ବନ୍ଧମୁଣ୍ଡା ଅଂଚଳର ରାଜୀବ ମିଶ୍ର ନାମକ ବ୍ୟକ୍ତି ସାମିଲ୍ ଥିବା ଜଣାପଡିଛି । ତାଙ୍କୁ କଟକ ଜିଏସଟି ଧରିଥିବା ବେଳେ ତାଙ୍କ ଠାରୁ ଚାଂଚଲ୍ୟକର ତଥ୍ୟ ମାନ ପଦାକୁ ଆସିଥିବା କୁହାଯାଉଛି । ଏହି ଦୁଇଜଣଙ୍କ ସହ ଆଉ କେଉଁମାନେ ସାମିଲ୍ ଅଛନ୍ତି, ସାମ୍ବାଦିକତା ନାମ ନେଇ ଚଳୁଥିବା, ସାମ୍ବାଦିକ ନାମରେ ଅର୍ଥ ଆଦାୟକୁ ଆୟୁଧ କରିଥିବା ଲୋକ ଓ ରାତାରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିବା କିଛି ଲୋକ ଏମାନଙ୍କ କବଜାରେ ପଡିଥିବା ଖବର ମଧ୍ୟ ଜିଏସଟି ଅଧିକାରୀ ମାନଙ୍କ ନିକଟରେ ରହିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ କେତେକ ସହର ଛାଡି ଚାଲିଯାଇଥିବାରୁ ସେମାନଙ୍କ ମୋବାଇଲକୁ ଟ୍ରାକ୍ କରାଯାଉଥିବା ଖବର ମିଳିଛି । ଏଭଳି ଠକେଇ ବର୍ତମାନ ସହରରେ ବଢି ଚାଲିଥିବା ବେଳେ ଏହାର ଚେର କୋଇଡା ବଣେଇ ଅଂଚଳକୁ ଅଧିକ ମାଡିଥିବାର ଖବର ମିଳିଛି । ସାମ୍ବାଦିକତା ନାମରେ ଖଣି ବେପାର, ପରିବହନ ଆଦି କାମ କରୁଥିବା ଲୋକେ ଏଭଳି କାରବାରକୁ ବେଶ୍ ସୁରଖୁରରେ ଚଳାଉଥିବା କୁହାଯାଉଛି । ସହରରେ ଗରୀବ ଖଟିଖିଆ ଲୋକ ମାନଙ୍କୁ ଏମାନେ ଟାର୍ଗେଟ୍ କରି ଏଭଳି କାରବାର କରିଚାଲିଥିବା କଥା ଖୋଦ୍ ଏହି ବିଭାଗ ଜାଣି ସାରିଛି । ଏଭଳି ଲୋକଙ୍କୁ ସାମ୍ବାଦିକତାର ବଡ ନାମ ବୋଝେଇଥିବା ଲୋକେ ସୁରକ୍ଷା ଦେଇଥିବା ଆଲୋଚନା ଚାଲିଛି । ତେବେ କଟକ ଜିଏସଟି ବିଭାଗ ଗତ କିଛି ଦିନ ତଳେ ଶ୍ରୀ ପାତ୍ରଙ୍କ ଠକେଇ ସମ୍ପର୍କରେ ଖବର ପାଇଥିଲେ । ଗତ ନଭେମ୍ବର ୨୫ରେ ତାଙ୍କ କୋଏଲ ନଗର ବାସଭବନ, ହମିରପୁର ଠିକଣାରେ ନୋଟିସ୍ ଲଗାଯାଇଥିଲା । କିନ୍ତୁ, ଏଥିରେ କୌଣସି ଉତର ସେ ଦେଇନଥିଲେ । ପରେ ଆଉ ୪ ଥର, ଗତ ୨୭,୨୮ ଓ ୧, ୨ ତାରିଖରେ ସମନ ପଠାଯାଇଥିଲେ ମଧ୍ୟ ସେ ତାହାର ଉତର ଦେଇନଥିଲେ । ଏହାପରେ ୪ ତାରିଖରେ ନୋଟିସ ଦିଆଯାଇ ତାଙ୍କୁ ହାଜର ହୋଇ ତଦନ୍ତରେ ସହଯୋଗ ଲାଗି କୁହାଯାଇଛି । ଏନେଇ ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଜିବାରୁ ମୋବାଇଲ ବନ୍ଦ ଥିବା ଜଣାପଡିଛି । ରାଉରକେଲା ସହରରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ଖବର ସମସ୍ତଙ୍କ ମନକୁ ଦୁଃଖିତ ରଖିଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଜିଏସଟିର ଏଭଳି ନୋଟିସ୍ ଘଟଣା ସାମ୍ବାଦିକ ମହଲକୁ ହଲଚଲ କରିଥିବା ଦେଖାଯାଇଛି ।