
ନୟାଗଡ଼– ନୟାଗଡ଼ର ୪ ବର୍ଷିୟା ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଗତ ୬ ଦିନ ଧରି ଆନ୍ଦୋଳନ ଜାରୀ ରହିଥିବା ବେଳେ ଆଜି ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ସହିତ ବିଜେପିର ଏକ ଟିମ୍ ନୟାଗଡ଼ ଯଦୁପରରେ ପହଂଚି ପରୀର ବାପା ମା ଓ ଗାଁ ଲୋକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଘଟଣାର ତୀବ୍ର ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏପରିକି ମାମଲାରେ ମନ୍ତ୍ରୀ ଅରୁଣ ସାହୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ମନ୍ତ୍ରୀ ଅରୁଣ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି ଏବଂ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏହା କେବଳ ଏକ ହତ୍ୟା ମାମଲା ନୁହେଁ, ମାମଲା ଅଙ୍ଗ ତସ୍କରୀ ସହିତ ଜଡ଼ିତ । ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇଦେବାରେ ବିଫଳ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।
ଏହି ଟିମ୍ ପ୍ରଥମେ ନୟାଗଡ଼ରେ ପହଂଚି ଥିଲେ । ପରେ ସେଠାରୁ ଯଦୁପୁର ଯାଇଥିଲେ । ଘଟଣାସ୍ଥଳ ପରିଦର୍ଶନ କରିବା ସହ ପରୀର ପରିବାର ଲୋକଙ୍କୁ ଭେଟିଥିଲେ । ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି, ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ପରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦିନ ଧରି ଜାରୀ ବିଜେପି ପକ୍ଷରୁ ଜାରୀ ରହିଥିବା ଧାରଣାସ୍ଥଳରେ ପହଂଚିଥିଲେ । ଏବଂ ସେଠାରେ ଧାରଣାରେ ବସି ରହିଥିଲେ ।