– ଦାମ୍ପତ୍ୟ କଳହରୁ ନଦୀକୁ ଡେଇଁଥିବା ସନେ୍ଦହ
ଭୁବନେଶ୍ୱର – ଦାମ୍ପତ୍ୟ କଳହରୁ କାଠଯୋଡି ନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ । ସ୍ତ୍ରୀ ଓ ପୁଅକୁ ବାଇକ୍ ରେ ନେଇ ଆସୁଥିବା ବେଳେ ହଠାତ୍ ପୋଲ ଉପରେ ବାଇକ୍ ରଖି ଯୁବକ ଜଣକ ନଦୀକୁ ଡେଇଁ ପଡିଥିଲେ । ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ବର୍ତମାନ ସୁଦ୍ଧା ତାଙ୍କର ପତା ମିଳିନି ।
ଏଭଳି ଅଭାବନୀୟ ଘଟଣା ଘଟିଛି ବୁଧବାର ଦ୍ୱିପ୍ରହରରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର କାଠଯୋଡ଼ି ନଦୀ ପୋଲ ଉପରେ । ବୁଧବାର ଦିନ ପ୍ରାୟ ଗୋଟାଏରେ ନିଆଳି କରଂଜ ଅଂଚଳର ଦେବବ୍ରତ ମହାପାତ୍ର ପତ୍ନୀ ଓ ପୁଅ ସହ ବାଇକ୍ ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ । ତେବେ ହଠାତ୍ ଦେବବ୍ରତ ନିଜ ବାଇକକୁ କାଠଯୋଡ଼ି ପୋଲ ଉପରେ ଠିଆ କରାଇ ଥିଲେ । ପରେ ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଭରା ନଈକୁ ଡେଇଁ ପଡ଼ିଥିଲେ । ଏହି ଘଟଣା ଦେଖି ହତବାକ୍ ପତ୍ନୀ ମଧ୍ୟ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ । ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ । ଉଭୟଙ୍କ ମଧ୍ୟରେ ବଚସା କାରଣରୁ ଦେବବ୍ରତ ନଦୀକୁ ଡେଇଁପଡିଥିବା ଅନୁମାନ କରାଯାଉଛି ।
ଖବର ପାଇ ଦେବବ୍ରତଙ୍କ ଶ୍ୱଶୂର ସେଠାରେ ପହଂଚିଥିଲେ । ସେ କହିଛନ୍ତି ଯେ ୫ ବର୍ଷ ତଳେ ତାଙ୍କ ଝିଅ ଯେ କି ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ଦେବବ୍ରତ ବିବାହ କରିଥିଲେ । ବିବାହ ସମୟରେ ସେ ଯାଜପୁରରେ ଏକ ଘରୋଇ କମ୍ପାନୀରେ ·କିରି କରୁଥିବା କହିଥିଲେ । ମାତ୍ର ଦେବବ୍ରତ କିଛି କାମ କରୁନଥିବା ତାଙ୍କ ଶ୍ୱଶୁର ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।
ଅଘଟଣ ପରେ ତୁରନ୍ତ ଦେବବ୍ରତଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ ବାହିନୀର ୩ଟି ପାୱାର ବୋଟ୍ ଓ ଓଡ୍ରାଫ୍ ଟିମ୍ ଗୋଟିଏ ପାୱାର ବୋଟ୍ ସହ ୨ ଜଣ ସ୍କୁବା ଡାଇଭରଙ୍କ ସହାୟତା ନିଆଯାଇଛି । ତେବେ ଅଦ୍ୟାବଧି ତାଙ୍କର ପତା ମିଳିନି । ସେପଟେ ତାଙ୍କ ପତ୍ନୀଙ୍କୁ କଟକ ସଦର ଥାନା ପୁଲିସ ପଚରାଉଚରା କରୁଛି ।