ଗଞ୍ଜାମ– ଆଇଏସଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ଟାଟା ମୋଟର୍ସ ଠକେଇ ସମ୍ପର୍କରେକ୍ରାଇବ୍ରାଂଚ ଟିମ୍ ବ୍ରହ୍ମପୁର ଖୋଳତାଡ଼ ଜାରୀ ରଖିଛି । ଟାଟା ମୋଟର୍ସରେ ଚାକିରୀ ଦେବାକୁ କହି ଆକାଶ ପାଠକ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମ୍ପୃକ୍ତି ଜଣାପଡିବା ପରେ କ୍ରାଇମବ୍ରାଂଚ୍ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଏହି ଠକେଇରେ ସାମିଲ୍ ଥିବା ପ୍ରମୁଖ ଲୋକ ମାନଙ୍କର ଲିଙ୍କ୍ ଖୋଜା ଚାଲିଛି । ଗୋପାଳପୁର ବିଧାୟକ ଓ ଆକାଶଙ୍କ ବ୍ୟାଙ୍କ ଆକାଉଂଟ କାରବାର ସ୍ପଷ୍ଟ ହୋଇସାରିଛି । ଏବେ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଂଟ ସହ ଅନ୍ୟ କେଉଁମାନଙ୍କର କାରବାର ରହିଛି ତାର ଯାଂଚ୍ କରାଯାଉଛି । ବିଧାୟକ ଶ୍ରୀ ପାଣିଗ୍ରାହିଙ୍କ ବ୍ୟାଙ୍କ ଆକାଉଂଟକୁ ଯେଉଁମାନେ ଟଙ୍କା ପଠାଇଛନ୍ତି । ତାର ଯାଂଚ୍ କରୁଛି କ୍ରାଇମବ୍ରାଂଚ୍ । ବିଧାୟକ ପ୍ରଦୀପ ଓ ଆକାଶଙ୍କ ବ୍ୟାଙ୍କ ଆକାଉଂଟ ଯାଂଚ୍ କରାଯାଉଛି । ଅନ୍ୟପକ୍ଷରେ ପ୍ରଦୀପ ଗିରଫ ହେବା ପରେ ତାଙ୍କ ଅନୁଗତ ମାନେ ଭୟରେ ରହିଛନ୍ତି । ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । କେତେବେଳେ କ୍ରାଇମବ୍ରାଂଚ୍ ଖଣ୍ଡା କାହା ଉପରେ ପଡିବ ସେନେଇ ସେମାନେ ଆତଙ୍କିତ ହୋଇପଡିଛନ୍ତି । ପ୍ରଦୀପ ଓ ଆକାଶଙ୍କ ବ୍ୟାଙ୍କ ଆକାଉଂଟ ଯାଂଚ୍ ସମୟରେ କ୍ରାଇମବ୍ରାଂଚ୍ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଏହି ତଥ୍ୟ ଆଧାରରେ ମଦ ବ୍ୟବସାୟୀ ଓ ଚାକିରୀ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା କିଛି ଅନୁଗତ ମଧ୍ୟ ଗିରଫ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । କ୍ରାଇମବ୍ରାଂଚ୍ ଟିମ୍ ଗୁପ୍ତ ଭାବେ ଏସବୁର ତଦନ୍ତ କରୁଥିବା ବେଳେ ଜଣକ ପରେ ଜଣକୁ ଡାକି ଜେରା କରୁଛନ୍ତି । ଏବଂ ସେମାନଙ୍କ ବୟାନ ରେକର୍ଡ଼ କରୁଛନ୍ତି । ୫ ଦିନ ମଧ୍ୟରେ ୨୦ ରୁ ଅଧିକ ଚାକିରୀ ଆଶାୟୀ ଓ ପ୍ରଦୀପଙ୍କ ଅନୁଗତଙ୍କ ବୟାନ ରେକର୍ଡ଼ କରାଯାଇଛି । ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଓ ଆଇପିଏସ ମେସ୍ ରେ ସମସ୍ତଙ୍କୁ ଜେରା କରାଯିବା ପରେ ସେମାନଙ୍କ ବୟାନ୍ ରେକର୍ଡ଼ କରାଯାଉଛି । ପ୍ରଦୀପଙ୍କ ଗିରଫ ସମସ୍ତଙ୍କୁ ଛାନିଆଁ କରି ଦେଇଛି ।