
ଗଞ୍ଜାମ– କ୍ରାଇମବ୍ରାଂଚର ଦୁଇ ଜଣିଆ ଟିମ୍ ରବିବାର ଠାରୁ ବ୍ରହ୍ମପୁରରେ ପହଂଚି ଗୋପାଳପୁର ବିଧାୟକ ଡଃ. ପ୍ରଦୀପ ପାଣିଗ୍ରାହୀଙ୍କ ଅନୁଗତମାନଙ୍କୁ ଜେରା କରିଥିବା ବେଳେ ଗତକାଲି ସଂନ୍ଧ୍ୟା ସୁଦ୍ଧା ଏହି ୧୦ ଜଣିଆ ଟିମ୍ ବ୍ରହ୍ମପୁରରେ ପହଂଚିଛନ୍ତି । ଏହି ଟିମ୍ ରେ ଜଣେ ଡ଼ିଏସପି ନେତୃତ୍ୱ ନେଇଥିବା ବେଳେ ଜଣେ ମହିଳା ଇନ୍ସପେକ୍ଟର ସହ ତିନି ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ମାନଙ୍କୁ ମିଶାଇ ୧୦ ଜଣିଆ ଟିମ୍ ରହିଛି । ରବିବାର ଠାରୁ ଆସିଥିବା ଦୁଇ ଜଣିଆ ଟିମ୍ ବିଧାୟକ ପାଣିଗ୍ରାହୀଙ୍କ ସହିତ ନିକଟରେ ଥିବା ବ୍ୟବସାୟୀ ଇଭେଂଟମ୍ୟାନେଜମେଂଟ ସଂସ୍ଥା, କିଛି ଯୁବ ନେତା ଓ ତାଙ୍କ ପରାମର୍ଶଦାତାଙ୍କୁ ମଧ୍ୟ ଜେରା ଆରମ୍ଭ କରିଛନ୍ତି । ଗତକାଲି ସଂନ୍ଧ୍ୟାରେ ଏହି ୧୦ ଜଣିଆ ଟିମ୍ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ୧୫ ରୁ ଉର୍ଦ୍ଧ୍ୱ ପ୍ରଦୀପଙ୍କ ଅନୁଗତ ଓ ସହଯୋଗୀଙ୍କୁ ଜେରା ଆରମ୍ଭ ହୋଇଛି । ଗତ ଦୁଇଦିନ ଧରି ଯେଉଁମାନଙ୍କ ଜେରା କରାଯାଇଥିଲା । ସେମାନଙ୍କୁ ମଧ୍ୟ ଡକାଇ ଜେରା କରାଯାଉଛି । ତେବେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ରାଇମବ୍ରାଂଚ ଟିମ୍ ସମସ୍ତଙ୍କୁ ଜେରା କରିଥିବା ସୂଚନା ମିଳିଛି ।