ପୁରୀ– ଧର୍ମ ମାସ ପବିତ୍ର କାର୍ତିକ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଆଜି ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଅନୁଷ୍ଠିତ ହୋଇଛି । ଏହି ବେଶରେ ଡାଳି ଭଳି ସୁନା କିଆ ଖଞ୍ଜା ଯାଇଥିବାରୁ ଏହାକୁ ଡାଳିକିଆ ବେଶ କୁହାଯାଏ । ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ବେତ କନାରେ ଦୁଇଟି ଚୂଳ ଲାଗି ହୋଇଥାଏ । ଏହି ଡ଼ାଳି ଚୂଳରେ ଧାଡି ଧାଡି ହୋଇ ଫୁଲ ଖୋସାଯାଇଥାଏ । ଏହା ମଝିରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ଏହି ବେଶରେ ମାଳି, ପଦକ ମାଳି, ତାବିଜ ମାଳି, ଧାରଣ କରିଥାନ୍ତି ଶ୍ରୀଜୀଉ ମାନେ । ଶ୍ରୀଭୂଜ, ଶ୍ରୀପୟର, ଶଙ୍ଖ, ଚକ୍ର ହଳ ମୂଷଳ ଲାଗି କରାଯାଇଥାଏ । ମା ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ କରାଯିବା ସହିତ ମସ୍ତକରେ ସୁବର୍ଣ୍ଣ କିରୀଟ ଲାଗି ହୋଇଥାଏ । ସ୍କନ୍ଧ ପୁରାଣ ଅନୁସାରେ ମହାପ୍ରଭୁ ପ୍ରଥମେ ନୃସିଂହ ରୂପରେ ଦେଖାଦେଇଥିଲେ । ନୃସିଂହ ଅବତାରକୁ ସମ୍ମାନ ଜଣାଇ ଏହି ବେଶ କରାଯାଉଥିବା କଥିତ ରହିଛି । ତେବେ ପ୍ରଶାସନିକ କଟକଣା ପାଇଁ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଏହି ବେଶ ଦର୍ଶନରୁ ବଂଚିତ ରହିଛନ୍ତି । ପାଳିଆ ସେବାୟତ ମାନେ ଏହି ବେଶ କରିବା ସହ ଅନ୍ୟାନ୍ୟ ନୀତିକାନ୍ତି ଜାରୀ ରଖିଛନ୍ତି ।
ସେହିପରି ଆସନ୍ତାକାଲି ଅର୍ଥାତ୍ ୩୦ ତାରିଖ ପୂର୍ଣ୍ଣମୀ ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । କେବଳ ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ସେବା ପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ କରିବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ପଚୁଂକର ପ୍ରଥମ ଦିନ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ, ଦ୍ୱିତୀୟ ଦିବସରେ ବାଙ୍କଚୂଡ଼ ବେଶ, ତୃତୀୟ ଦିବସରେ ନାଗାର୍ଜ୍ଜୁନ ବେଶ ଏବଂ ଚତୁର୍ଥ ଦିବସରେ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥିଲା ।