କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,୨୫ ବର୍ଷ ପରେ ପଡିଛି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । କିନ୍ତୁ କରୋନା ମହାମାରୀ ପାଇଁ
ଏଥର ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ତେଣୁ ମହାପ୍ରଭୁଙ୍କ ଏହି ବେଶକୁ ପଟ୍ଟଚିତ୍ରରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ବରିଷ୍ଠ ଶିଳ୍ପୀ ପଙ୍କଜ ବେହେରା । ପଟଚିତ୍ରରେ ତିଆରି କରିଛନ୍ତି ଦାରୁଦିଅଁଙ୍କର ଅବିକଳ ନାଗାର୍ଜୁନ ବେଶ । ଏହାକୁ ପଟ୍ଟଚିତ୍ର ସେଣ୍ଟର ସଂଗ୍ରହାଳୟରେ ରଖିଛନ୍ତି ।
ଯେ କୌଣସି ଦର୍ଶନାର୍ଥୀ ଏହାକୁ ଦେଖିପାରିବେ ବୋଲି କହିଛନ୍ତି ପଙ୍କଜ । ଏ ସମ୍ପର୍କରେ ପଙ୍କଜ କହିଛନ୍ତି କରୋନା ମହାମାରୀ ଯୋଗୁ ୮ ମାସ ହେଲାଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି । ମାତ୍ର ଦୀର୍ଘ ୨୫ବର୍ଷ ପରେ ନାଗାର୍ଜୁନ ବେଶ ପଡୁଥିବାରୁ ଶ୍ରଦ୍ଧାଳୁମାନେ କିପରି ଏହାକୁ ଦେଖିପାରିବେ ତାହା ମୋ ମନକୁ ଆନ୍ଦୋଳିତ କଲା । ତେଣୁ ପଟ୍ଟଚିତ୍ରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ କରୁଥିବାରୁ ନାଗାର୍ଜୁନ ବେଶ କରିବାକୁ ମନସ୍ଥ କରିଥିଲେ ।
ମହାପ୍ରଭୁଙ୍କ ଆଶୀର୍ବାଦରୁ ୭ ମାସ ମଧ୍ୟରେ ବଡ଼ ବଡ଼ ୫ଟି ପଟ୍ଟଚିତ୍ର ପ୍ରସ୍ତୁତି ସରିଛି । ଏହାକୁ ପଟ୍ଟଚିତ୍ର ସେଣ୍ଟର ସଂଗ୍ରହାଳୟରେ ରଖାଯାଇଛି । ବର୍ଷତମାମ୍ ଯେ କେହି ଚାହିଁବେ ଏହାକୁ ଦେଖିପାରିବେ । ତେବେ କରୋନା କଟକଣାକୁ ପାଳନ ପୂର୍ବକ ଏହି ବେଶ ଦେଖିହେବ ବୋଲି କହିଛନ୍ତି ପଙ୍କଜ । ସୂଚନାଥାଉ କି, ଶିଳ୍ପୀ ପଙ୍କଜ ମହାପ୍ରଭୁଙ୍କର ଶହ ଶହ ପେଣ୍ଟି ତିଆରି କରିଛନ୍ତି । ପୁରୀ ଗସ୍ତରେ ଆସିଥିବା ଭାରତର ଏକ ପୂର୍ବତନ ରାଷ୍ଟ୍ରପତି ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ସ୍ଵରୂପ ସରକାରଙ୍କ ପକ୍ଷରୁ ପଙ୍କଜଙ୍କ କଳାକୃତି ପ୍ରଦାନ କରାଯାଇଛି ।