କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଓଡ଼ିଶାର ପ୍ରଥମ ମାସିକ ଶିଶୁ ସମ୍ବାଦପତ୍ର ‘ଶିଶୁ ସମାଚାର’ ପକ୍ଷରୁ ହୋଟେଲ୍ ରାଜ ସମ୍ମେଳନ କକ୍ଷରେ ‘ବିଶ୍ଵ ଶିଶୁ ଅଧିକାର ଦିବସ’ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଧ୍ୟାପକ ଅଭିମନ୍ୟୁ ଭୂୟାଁ ମୁଖ୍ୟ ଅତିଥି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା,
ଚାଇଲଡ ଲାଇନ୍ର ନିର୍ଦ୍ଦେଶକ , ଓଟିଭିର ପୁରୀ ପ୍ରତିନିଧି ମଧୁସୂଦନ ମିଶ୍ର, ହୋଟେଲ ରାଜର ମ୍ୟାନେଜର ସନତ୍ କୁମାର
ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଦେବାଶିଷ ରଥ ଉପସ୍ଥିତ ଥିଲେ |
ଅତିଥିମାନେ ସେମାନଙ୍କ ଅଭିଭାଷଣରେ କହିଲେ ଯେ, ଶିଶୁମାନଙ୍କ ଅଧୁକାର ଆଇନକୁ କାର୍ଯ୍ୟକାରୀ କରିବାରେ ସମସ୍ତ ନାଗରିକ, ଅଭିଭାବକ ଓ ଶିକ୍ଷକଙ୍କ ଭୂମିକ ଗୁରୁତ୍ବପୂର୍ଣ୍ଣ । ଶିଶୁ ଅଧିକାର କ୍ଷୁର୍ଣ୍ଣ କରୁ ଥିବା ବ୍ୟକ୍ତି, ଅନୁଷ୍ଠାନ, ପ୍ରତିଷ୍ଠାନ ଓ ପ୍ରଶାସନିକ ନିର୍ଦ୍ଦେଶନାମା ବିରୁଦ୍ଧରେ ସ୍ୱର ଉତ୍ତୋଳନ
କରିବା ଆବଶ୍ୟକ । ଶିଶୁ ଜୀବନ ଧାରଣ କରିବାର ଅଧିକାର, ଶିଶୁ ବଞ୍ଚିବାର ଅଧିକାର ଓ ଶିଶୁର ଶିକ୍ଷାଧିକାର ଆଜି ସଫଳ ରୂପାୟନ ହୋଇପାରୁ ନାହିଁ ବୋଲି ଅତିଥିମାନେ କ୍ଷୋଭ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜନପ୍ରିୟ ଚିକିତ୍ସକ ଡା. ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ‘ଶିଶୁ ସମାଚାର’ର ସଂପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂପର୍କରେ ସଂପୃକ୍ତ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ
ପରିଚାଳନା କମିଟିର ସଦସ୍ୟ ଶରତ ରାୟଗୁରୁ ସଂଚାଳନ କରିଥିଲେ । ପରିଚାଳନା କମିଟିର ସଦସ୍ୟ
ଶିବସୁନ୍ଦର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆକାଶବାଣୀର ଉଦ୍ଘୋଷିକା ଜୟଶ୍ରୀ ମୁଦ୍ରା, ଶିକ୍ଷୟିତ୍ରୀ ଅଞ୍ଜଳି କୁମାରୀ ନାୟକ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଜ୍ୟୋତି ପ୍ରକାଶ ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା ।
ପୂର୍ବରୁ ଆୟୋଜିତ ଅନଲାଇନ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ଚିନେରା, ଡି.ଏ.ଭି. ପବ୍ଲିକ୍ ସ୍କୁଲର ଶୁଭାଙ୍ଗୀ ରଥ, ଭଗବତୀ ବିଦ୍ୟା ନିକେତନର ଶୀତଲ ସ୍ନେହାଶିଷ ଦାଶ ଏବଂ କବିତା ପ୍ରତିଯୋଗିତାରେ ପୁରୀ ଡି.ଏ.ଭି. ପବ୍ଲିକ୍
ସ୍କୁଲର ଶୁଭାଙ୍ଗୀ ରଥ, ବଡ଼ଶଙ୍ଖ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭଲକ୍ଷ୍ମୀ ପରିଡ଼ା, ବିଶ୍ବମ୍ବର
ବିଦ୍ୟାପୀଠର ସାଇ ସଗୁନ ପ୍ରିୟଦର୍ଶିନୀ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି
ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମରେ ସ୍ବାଧୀନ ପଣ୍ଡା, ନାରାୟଣ ସିହ୍ମା, ବ୍ରଜକିଶୋର ସାହୁ,
ସତ୍ୟନାରାୟଣ ସାହୁ, ମନୋରଞ୍ଜନ ତ୍ରିପାଠୀ, ଦୀପ୍ତି ମିଶ୍ର, ବନିତା ଦୀକ୍ଷିତ ଓ ସୁକାନ୍ତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।