-
ଶୋକ ପ୍ରସ୍ତାବ ପାରିତ ହେଲା ପରେ ଅପରାହ୍ନ ୩ଟା ଯାଏ ସ୍ଥଗିତ ହେଲା ଗୃହ କାର୍ଯ୍ୟ
ଭୁବନେଶ୍ୱର, ୨୦ ନଭେମ୍ବର – ଆଜି ଠାରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶୋକ ପ୍ରସ୍ତାବ ଆଲୋଚନାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ପୂର୍ବତନ ବାଚସ୍ପତି ଶରତ କୁମାର କର, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଗୁରୁପଦ ନନ୍ଦ, ପୂର୍ବତନ ବିଧାୟକ କାର୍ତିକେଶ୍ୱର ପାତ୍ର ଓ ରାଜ୍ୟରେ କରୋନା ସଂକ୍ରମଣ ଭଳି କଠିନ ପରିସ୍ଥିତିର ମୁକାବିଲା ସମୟରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବ ଆଗତ ହେବା ପରେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଶୋକ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଆଣିଥିବା ପ୍ରସ୍ତାବକୁ ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ସିପିଏମର ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରି ଦିବଙ୍ଗତ ସଦସ୍ୟ ମାନଙ୍କର ରାଜନୈତିକ, ସାମାଜିକ ଜୀବନ ସମେତ ସେମାନଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ । ୨୩ ମିନିଟ ଧରି ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଶୋକ ପ୍ରସ୍ତାବ ଗୃହୀତ ହେବା ପରେ ଏହାକୁ ସେମାନଙ୍କର ପରିବାର ନିକଟକୁ ପଠାଇ ଦିଆ ଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଥିଲେ । ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଥିଲେ ।
ଏଥି ପୂର୍ବରୁ ସେ ଘୋଷଣା କରି କହିଥିଲେ ଯେ ଗୃହର ପରମ୍ପରା ଅନୁଯାୟୀ ଯଦି ପୂର୍ବତନ ବାଚସ୍ପତିଙ୍କର ଦେହାନ୍ତ ହୋଇଥାଏ ତେବେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଗୃହର ଶୋକ ପ୍ରସ୍ତାବ ପରେ ସେଦିନର କାର୍ଯ୍ୟସୂଚୀରେ ସ୍ଥାନିତ ସମସ୍ତ କାର୍ଯ୍ୟକ୍ରମ ନିଆ ନ ଯାଇ ଗୃହର କାର୍ଯ୍ୟ ତା ପର ଦିନ ଯାଏ ମୁଲତବୀ ରଖା ଯାଇଥାଏ । କିନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମେତ ବର୍ତମାନ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଅନୁଷ୍ଠିତ ସର୍ବଦଳୀୟ ବୈଠକର ନିଷ୍ପତି ଅନୁଯ।।ୟୀ ଗୃହର ପୂର୍ବାହ୍ନର ବୈଠକରେ କୌଣସି କାର୍ଯ୍ୟ ସମ୍ପାଦନ କରା ଯିବ ନାହିଁ ଓ ଆଜିର କାର୍ଯ୍ୟସୂଚୀରେ ସ୍ଥାନିତ କାର୍ଯ୍ୟକ୍ରମ ଆଜିର ଅପରାହ୍ନ ସୂଚୀରେ ସମ୍ପାଦନ କରା ଯିବ । ତେବେ ଆଜିର ଏହି ବ୍ୟତିକ୍ରମ ଗୃହର ପରମ୍ପରା ଭାବେ ଗ୍ରହଣ କରା ଯିବ ନାହିଁ ବୋଲି ବାଚସ୍ପତି କହିଥିଲେ ।