ଭୁବନେଶ୍ୱର – ବନ୍ଧା ହେବେ ମଦ୍ୟପ ଡ୍ରାଇଭର । ମଦ୍ୟପାନ କରି କିମ୍ବା ଡ୍ରଗ୍ସ ନେଇ ଗାଡି ଚଳାଉଥିବା ବେଳେ ଧରାହେଲେ ବିନା ୱାରେଂଟରେ ଗିରଫ କରିବ ପୋଲିସ୍ । ନିଶାଡି ଗାଡି ଚାଳକକୁ ଉଭୟ ଜୋରିମାନା ଓ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ । ଏଥିପାଇଁ ରାଜ୍ୟର ସମସ୍ତ ଟୋଲ ଗେଟ୍ ନିକଟରେ ଯାଂଚ କରାଯିବ । ଏନେଇ ପୋଲିସ୍ ଡିଜି ବିକେ ଶର୍ମା ଶୁକ୍ରବାର ଏକ ସର୍କୁଲାର ଜାରୀ କରିଛନ୍ତି ।
ବିଚାରପତି ରାଧାକ୍ରିଷ୍ଣନ୍ ଙ୍କ ଅଧ୍ୟକ୍ଷତାରେ ସୁପ୍ରିମ କୋର୍ଟ ଗଠନ କରିଥିବା ରାସ୍ତା ସୁରକ୍ଷା କମିଟି ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବାପାଇଁ ବିଭିନ୍ନ ରାଜ୍ୟ ମାନଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ପୋଲିସ୍ ଡିଜି ବିଜୟ କୁମାର ଶର୍ମା ସର୍କୁଲାର୍ ଜାରୀ କରିଛନ୍ତି ।
ଓଡିଶାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । କମିଟି ପ୍ରତିବର୍ଷ ୧୦ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବାପାଇଁ ନିର୍ଦ୍ଦେଶ ଦେଇଛି । ୨୦୧୭ରେ ୭.୩୩ ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିବା ବେଳେ ୨୦୧୮ରେ ୧୧ ପ୍ରତିଶତ ବୃଦ୍ଧି ପାଇଥିଲା । କମିଟି ଏହା ଉପରେ ଉଦବେଗ ପ୍ରକାଶ କରିଛନ୍ତି । ତେଣୁ ରାଜ୍ୟରେ ଥିବା ସମସ୍ତ ୧୪ ଟି ଟୋଲ ଗେଟ୍ ରେ ମଦ୍ୟପ ଡ୍ରାଇଭର ମାନଙ୍କୁ ଯାଂଚ କରିବାପାଇଁ ପୋଲିସ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ବ୍ରେଥ୍ ଆନାଲାଇଜର ଡିଭାଇସ୍ ଦ୍ୱାରା ସେମାନଙ୍କ ପରୀକ୍ଷା କରାଯିବ । ଯେଉଁମାନେ ମଦ୍ୟପାନ କରି ଡ୍ରାଇଭିଂ କରୁଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ସେମାନଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ବ୍ୟବସ୍ଥା କରାଯିବ । ଏହାସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇପାରେ ।