ଭଦ୍ରକ- ବର୍ଷା ପରେ ଏବେ ଭଦ୍ରକ ଜିଲାରେ ଲୋକଙ୍କୁ ଘାରିଛି ଡେଙ୍ଗୁ ଭୟ । ଜିଲାର ବିଭିନ୍ନ ଗାଁ ଗଣ୍ଡା ଏବଂ ସାହି ବସ୍ତିରେ ବର୍ଷାପାଣି ଜମି ରହିବା ଫଳରେ ଗାଁ ଗାଁରେ ଡେଙ୍ଗୁ ଭୟ ଦେଖାଦେଇଛି । ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଇତିମଧ୍ୟରେ ଶହେ ଟପିଯାଇଥିଲେ ମଧ୍ୟ ଚିହ୍ନଟ ରୋଗୀମାନେ ବାହାର ରାଜ୍ୟରୁ ଆକ୍ରାନ୍ତ ହୋଇ ଭଦ୍ରକ ଆସିଥିବା କର୍ତୃପକ୍ଷ କହିଛନ୍ତି । ସରକାରୀ ଭାବେ ଏବେ ଭଦ୍ରକ ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମାତ୍ର ୧୦୪ ରହିଥିବା କୁହାଯାଉଥିଲେ ମଧ୍ୟ ବେସରକାରୀ ରିପୋର୍ଟ ଅନୁଯାୟୀ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦୁଇଶହ ଟପିଯାଇଥିବା ଆଶଙ୍କା କରାଯାଉଛି । କେବଳ ଯେ ଗାଁ ଗଣ୍ଡାରେ ଡେଙ୍ଗୁ ଦେଖାଦେଇଛି ତା ନୁହେଁ ସହରାଂଚଳରେ ମଧ୍ୟ ଏହି ରୋଗର ଭୟାବହତା ଦେଖାଦେଇଛି । ସରକାରୀ ସୂଚନା ମୁତାବକ ଜିଲାର ତିହିଡି ବ୍ଲକ୍ରେ ସର୍ବାଧିକ ୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ଭଦ୍ରକ ବ୍ଲକ୍ରେ ୧୭ ଜଣ, ବନ୍ତ ବ୍ଲକ୍ରେ ୧୪ , ବାସୁଦେବପୁର ବ୍ଲକ୍ରେ ୧୨, ଚାନ୍ଦବାଲି ବ୍ଲକ୍ରେ ୧୧, ଭଣ୍ଡାରିପୋଖରୀ ବ୍ଲକ୍ରେ ୧୦ ଏବଂ ଭଦ୍ରକ ପୌରପାଳିକାରେ ୫ ଜଣ ଏବଂ ଚିହ୍ନଟ ହୋଇ ପାରିନଥିବା ଜଣେ ଏହିପରି ମୋଟ ୧୦୪ ଜଣ ଲୋକ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି ।ତେବେ ଜିଲା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ଜିଲାରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୪ ଛୁଇଁଥିଲେ ମଧ୍ୟ ଜିଲା ହେଡ୍କ୍ୱାର୍ଟର ହସ୍ପିଟାଲରେ ଖୋଲାଯାଇଥିବା ଡେଙ୍ଗୁ ୱାର୍ଡ କିନ୍ତୁ ଖାଲି ପଡିଛି । ଜିଲା ସ୍ୱାସ୍ଥ୍ୟ ବିଭାଗ କର୍ତୃପକ୍ଷଙ୍କ କହିବା ଅନୁଯାୟୀ ଜିଲା ମୁଖ୍ୟ ଚିକିତ୍ସାଳୟ ଜରିଆରେ ଇତିମଧ୍ୟରେ ୧୦ ରୁ ଉଦ୍ଧ୍ୱର୍ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ସେମାନଙ୍କ ରକ୍ତରେ ଡେଙ୍ଗୁ ପଜିଟିଭି ଥିବା ଜଣାପଡିଥିଲେ ମଧ୍ୟ ଚିହ୍ନଟ ରୋଗୀମାନେ ଚିକିତ୍ସା ପାଇଁ ଜିଲା ହସ୍ପିଟାଲ ପରିବର୍ତେ ଅନ୍ୟତ୍ର ପଳାଇ ଯାଇଛନ୍ତି । ଅନ୍ୟପକ୍ଷରେ ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଇତିମଧ୍ୟରେ ଶହେ ଟପି ଯାଇଥିଲେ ମଧ୍ୟ ଚିହ୍ନଟ ରୋଗୀମାନେ ବାହାର ରାଜ୍ୟରୁ ଆକ୍ରାନ୍ତ ହୋଇ ଭଦ୍ରକ ଆସିଥିବା କଥା କର୍ତୃପକ୍ଷ କହିଛନ୍ତି । ବିଭାଗୀୟ ଡାକ୍ତର ମୁରଲୀଧର ନାୟକଙ୍କ କହିବା ଅନୁଯାୟୀ ଅଦ୍ୟାବଧି ଭଦ୍ରକ ଜିଲାରେ ଜଣେ ହେଷଲ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାଁନ୍ତି । ପରନ୍ତୁ ସବୁତକ ରୋଗୀ ଦିଲ୍ଲୀ, କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଅଥବା ବେଙ୍ଗାଲୁର ଅଂଚଳରୁ ଡେଙ୍ଗୁ ଆକ୍ରାନ୍ତ ହୋଇ ସେମାନଙ୍କ ଘର ଭଦ୍ରକ ଜିଲା ଆସିଛନ୍ତି । ତଥାପି ଜିଲାରେ ଡେଙ୍ଗୁର ଭୟାଭୟତାକୁ ଦୃଷ୍ଟିରେ ରଖି ଜିଲାବ୍ୟାପୀ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରାଯାଇଥିବାବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଗାଁ ଗଣ୍ଡାରେ ପରିବେଶ ସଫା ସୁତୁରା ରଖିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଡେଙ୍ଗୁ ରୋଗ ଚିହ୍ନଟ ଲାଗି ଜିଲା ମୁଖ୍ୟ ଡାକ୍ତରଖାନା ସମେତ ବିଭିନ୍ନ ପିଏଚ୍ସି ଏବଂ ସିଏଚ୍ସି ମାନଙ୍କରେ ଏଲିସା ଟେଷ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।
Related Stories
November 23, 2024