ଭଦ୍ରକ – ଗାଁ ମାନଙ୍କର ଉଜ୍ୱଳ ଆଲୋକ ପାଇଁ ସରକାରଙ୍କ ପକ୍ଷରୁ ହାଇମାକ୍ସ ଲାଇଟର ବ୍ୟବସ୍ଥା କରାଯାଉଛି । ହେଲେ ଏହି ହାଇମାକ୍ସ ଲାଇଟ ଲଗାଇବାକୁ ନେଇ ଧାମନଗର ବ୍ଲକରେ ଦୁର୍ନିତୀ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଆରୋପ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି ଯେ ଧାମନଗର ବ୍ଲକର ଆନନ୍ଦପୁର, ପାଳସାହି, କଟସାହି, ଗଢିଆଳି ଓ ଅସୁରାଳି ଆଦି ପଂଚାୟତର ୭ଟି ସ୍ଥାନରେ ଗତକାଲି ବିଳମ୍ବିତ ରାତିରେ ସଂପୃକ୍ତ ଠିକାଦାର ପୂର୍ବରୁ ଲଗାଯାଇଥିବା ହାଇମାକ୍ସ ଲାଇଟ ନିକଟରେ ପୁଣି ଏକ ଲାଇଟ ଲଗାଇଛନ୍ତି । ଯାହା ଫଳରେ ଯେଉଁ ସ୍ଥାନରେ ଏହି ଲାଇଟର ଆବଶ୍ୟକତା ନଥିବା ବେଳେ ପୁଣି କଣ ପାଇଁ ସେହି ସ୍ଥାନରେ ଏହି ଲାଇଟ ଲଗାଗଲା ତାହାକୁ ନେଇ ଦଳ ଅଭିଯୋଗ କରିଛି । ବ୍ଲକର ଆନନ୍ଦପୁର ପଂଚାୟତ ଅନ୍ତର୍ଗତ ଉତେଇପୁରସ୍ଥିତ ଜନକୀଶ୍ୱର ମନ୍ଦିର ନିକଟରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେତେ ବେଳର ବିଧାୟକଙ୍କ ଅନୁଦାନ ଅର୍ଥରୁ ଏକ ହାଇମାକ୍ସ ଲାଇଟ ଲଗାଯାଇଥିଲା । ହେଲେ ପୂର୍ବରୁ ସେହି ସ୍ଥାନରେ ଏହି ହାଇମାକ୍ସ ଲାଇଟ ଲଗାଇବା ପାଇଁ ପଂଚାୟତର ଗ୍ରାମସଭାରେ ଅନୁମୋଦିତ ହୋଇଥିଲା । ଗତକାଲି ଏହି ଲାଇଟ ଲଗାଇବା ପାଇଁ ସଂପୃକ୍ତ ଠିକାଦାର ସେଠାରେ ପହଂଚି କାର୍ଯ୍ୟ ଆରମ୍ଭ କରିବା ଯାଉଥିବା ବେଳେ ସ୍ଥାନୀୟ ଅଂଚଳବାସୀ ଓ ସରପଂଚ ପହଂଚି ବିରୋଧ କରିଥିଲେ । ପଂଚାୟତରେ ଏହି ଲାଇଟ ଲଗାଯିବ କିପରି ଭାବେ ସ୍ଥାନୀୟ ସରପଂଚଙ୍କୁ ଅବଗତ କରାଗଲା ନାହିଁ । ପୁଣି ସେହି ସ୍ଥାନରେ ବିଧାୟକଙ୍କ ପାଣ୍ଠିରୁ ଏହି ଲାଇଟ ଲଗାଯାଇଥିବା ବେଳେ ଏହି ଲାଇଟ ସେଠାରେ ନଲଗାଇ ସେହି ଗ୍ରାମର ଖାନସମାସାହି କିର୍ତନ ମଣ୍ଡପ ନିକଟରେ ଲଗାଇବା ପାଇଁ ସରପଂଚଙ୍କ ସମେତ ଅଂଚଳବାସୀ କହିଥିଲେ । ଠିକାଦାର ଏହିସବୁ କଥା ଶୁଣିବା ପରେ କାମ ନକରି ଫେରି ଯାଇଥିଲା । ମାତ୍ର ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ପରେ ଠିକାଦାର ଓ ଅନ୍ୟ ୧୦/୧୫ଜଣଙ୍କୁ ଧରି ସେଠାରେ ପହଂଚି ପୂର୍ବରୁ ଲାଇଟ ଲଗାଯାଇଥିବା ସ୍ଥାନଠାରୁ ମାତ୍ର କେଉଁ ହାତ ଦୂରେ ଲାଇଟ ଲଗାଇ ବିଦ୍ୟୁତ ସଂଯୋଗ କରିଛନ୍ତି । ସରକାରଙ୍କ ଅର୍ଥ ସୁବିନିଯୋଗ ହେଉନଥିବା ବେଳେ ରାତିଅଧିଆ ତରବରିଆ ଭାବେ କଣ ପାଇଁ ଏହି ଲାଇଟ ଲଗାଯାଉଛି, ଏଥିରେ ବହୁ ଦୁର୍ନିତୀ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି । ସେହିପରି ବ୍ଲକର ଅନ୍ୟ ୬ଟି ସ୍ଥାନରେ ମଧ୍ୟ ଅନୁରୂପ ଭାବେ ଏହି ଲାଇଟ ଲଗାଇଯାଇଛି । ଏହି ଲାଇଟ ଲଗାଇବାରେ ପ୍ରାୟ ୧୧ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଦୁର୍ନିତୀ ହୋଇଥିବା ଅଭିଯୋଗ କରି ଦଳ ଭିଜିଲାନ୍ସ ତଦନ୍ତ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆନନ୍ଦପୁର ପଂଚାୟତର ସରପଂଚ ବିଜୟ ଦାସ, ଦୋବଲ ଜୋନ ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ବିଜେପି ଦୋବଲ ମଣ୍ଡଳ ସଭାପତି ଅରବିନ୍ଦ ପତି, ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ପତି ଓ ପ୍ରମୋଦ ଆନ୍ଦିଆ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 24, 2024