
ସାକ୍ଷିଗୋପାଳ- ପୁରୀ ଜିଲ୍ଲା ସାକ୍ଷିଗୋପାଳ ବୀରଗୋବିନ୍ଦପୁରରେ ଆଜି ଅନୁଷ୍ଠିତ ହେଉଛି କାଳୀପୂଜା । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ କୋଭିଡ଼୍ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବନ୍ଦ ରଖାଯାଇଛି । ମନ୍ଦିର ଓ ଏହାର ଆଖପାଖ ଗ୍ରାମରେ ୧୪୪ ଧାରା ଜାରୀ ହୋଇଛି । ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ଦିର ଚାରିପାଖରେ, ବୀରଗୋବିନ୍ଦପୁର ଗ୍ରାମ ଓ ଗାଁ ଛକରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ଗତକାଲି ରାତିରେ ମୃଣ୍ମୟୀ ମୂର୍ତି ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ମାଙ୍କ ପୂଜା କାର୍ଯ୍ୟ ରୀତିନୀତି ମୁତାବକ ଆରମ୍ଭ ହୋଇଛି । ସେହିପରି ଆଜି ବିଳମ୍ବିତ ରାତିରେ ଅନୁଷ୍ଠିତ ହେବାକୁ ଥିବା ଭସାଣି ଉତ୍ସବ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରକାଶ ଥାଉ କି, ବର୍ଷସାରା ଏଠାରେ ମା ଦକ୍ଷୀଣ କାଳୀଙ୍କ ମୂର୍ତି ପୂଜା ପାଉଛି । ମା ଦକ୍ଷିଣ କାଳୀ ପ୍ରତ୍ୟେକ୍ଷ । ଏବଂ ଭକ୍ତଙ୍କ ମନୋବାଞ୍ଛା ଅବଶ୍ୟ ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । ପ୍ରତି ବର୍ଷ କାଳୀପୂଜାରେ ଏଠାରେ ଲକ୍ଷାଧିକ ସଂଖ୍ୟାରେ ଭିଡ଼ ଦେଖିବାକୁ ମିଳିଥାଏ । କିନ୍ତୁ, ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ପୋଲିସ ଛାଉଣି ପରିଲକ୍ଷିତ ହୋଇଛି ।