ବାରିପଦା– ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ମଦନ ସିଂ(୩୦) ନଭେମ୍ବର ୧୪ ବିଳମ୍ବିତ ରାତିରେ ଏକ ଲୁଙ୍ଗି ଦ୍ୱାରା ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ଏକ ଟ୍ରାକ୍ଟରର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ମଦନଙ୍କ ସହ ତାଙ୍କ ସ୍ତ୍ରୀର କୌଣସି କାରଣରୁ ମନମାଳିନ ହେବା ପରେ ସ୍ତ୍ରୀ ବାପ ଘରେ ରହୁଥିବା ବେଳେ ମଦନ ନିଜ ଘରେ ଏକୁଟିଆ ମାନସିକ ଚାପ ମଧ୍ୟରେ ରହିଆସୁଥିଲା । ଏହି ସମୟରେ ଗତକାଲି କାଳିପୂଜା ଅବସରରେ ସାଙ୍ଗମାନଙ୍କ ସହ ମଉଜ ମଜଲିସ କରି ବିଳମ୍ବିତ ରାତିରେ ଘରକୁ ଫେରି ଆସି ଶୋଇବାକୁ ଯାଇଥିଲା । ଆଜି ସକାଳ ସମୟରେ ଝୁଲନ୍ତା ଅବସ୍ଥାରେ ତାକୁ ପରିବାର ଲୋକମାନେ ଦେଖିବାକୁ ପାଇ ବାରିପଦା ସଦର ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ପୁଲିସ ଲକ୍ଷ୍ମୀପୁର ଗ୍ରାମରେ ପହଁଚି ମଦନର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲକୁ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ପ୍ରଶ୍ନ ଉଠିଛି । ଶବର ପାରିପାଶ୍ୱର୍କ ଅବସ୍ଥା ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି । ଫାଶି କେଶରେ ମୃତ ବ୍ୟକ୍ତି ନିକଟରେ ହାତ ମୁଠା ହେବା, ପାଦ ତଳକୁ ହେବା, ମଳମୂତ୍ର ତ୍ୟାଗ କରିବା, ଦଉଡ଼ି ଅଥବା ଲୁଗାର ଗଣ୍ଠି କାନ ନିକଟକୁ ଆସିବା, ବେକରେ କଳା ଦାଗ ପଡ଼ିବା ଆଦି କେତେକ ଲକ୍ଷଣ ଦେଖିବାକୁ ମିଳୁଥିବା ସମୟରେ ମଦନର ହାତ ଖୋଲା ରହିଥିବା ବେଳେ ପାଦ ସିଧା ରହିଥିବାର ଦେଖିବାକୁ ମିଳିଛି । ଯାହାଫଳରେ ମଦନ ଆତ୍ମହତ୍ୟା କରିଛି ନା ତାଙ୍କୁ ହତ୍ୟା କରାଯାଇଛି ଏହାକୁ ନେଇ ଉଠିଛି ପ୍ରଶ୍ନ ।
ଏ ବିଷୟରେ ବାରିପଦା ସଦର ଥାନା ଆଇଆଇସି ପ୍ରେମଦା ନାୟକ ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିଲେ ପ୍ରକୃତ ସତ୍ୟ କଣ ତାହା ଜଣାପଡ଼ି ଯିବ ବୋଲି ସୂଚନା ଦେଇଥିଲେ ।