ଭଦ୍ରକ- ମା’ ଦୁର୍ଗାଙ୍କ ଆଗମନୀରେ ଉତ୍ସବମୁଖର ହୋଇଉଠିଛି ଭଦ୍ରକ ଜିଲା । ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ପୂଜା ମଣ୍ଡପଗୁଡିକରେ ବେଶ ଭିଡ ପରିଲକ୍ଷିତ ହୋଇଛି । ସମସ୍ତ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳ ରକ୍ଷାପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁର୍ଗତିନାଶିନୀ ମା’ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିବାର ସମସ୍ତ ରୀତିନୀତି ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଭଦ୍ରକ ଜିଲାରେ ମୋଟ ୧୫୦ ଗୋଟି ମେଢ ମଧ୍ୟରୁ ସହରର ୨୨ ଟି ପୂଜା ବେଦୀରେ ମା’ ସମସ୍ତଙ୍କୁ ଦର୍ଶନ ଦେଇଛନ୍ତି । ପୂଜା ମଣ୍ଡପ ଗୁଡିକର ତୋରଣ ଗୁଡିକ ଚଳିତବର୍ଷ ରାସ୍ତାର ଉଭୟପାଶ୍ୱର୍କୁ କରାନଯାଇ ଗୋଟିଏ ପାଶ୍ୱର୍ରେ କେବଳ ପୂଜା ମଣ୍ଡପ ନିକଟରେ ନିର୍ମାଣ କରାଯାଇଛି । ଡିଜେ ଗୁଡିକ ଉପରେ ରୋକ୍ ଲଗାଯାଇଥିବାରୁ କେବଳ ମାଇକ୍ରେ କରାଯାଉଥିବା ମନ୍ତ୍ରୋଚାରଣ ଲୋକଙ୍କୁ ଭକ୍ତିଭାବନାକୁ ବେଶ୍ ପ୍ରଭାବିତ କରିଛି । ପ୍ରତ୍ୟେକ ପୂଜା କମିଟି ନିରାଡମ୍ବର ଭାବେ ମା’ ଙ୍କ ଆବାହନୀକୁ ସ୍ୱାଗତ କରି ନିଜ ନିଜର ବ୍ୟୟ ବହୁଳ ଖର୍ଚ୍ଚକୁ ସଂକୁଚିତ କରିଛନ୍ତି । ତେବେ ସହର ତମାମ ରାସ୍ତାପାଖର ଆଲୋକ ସଜା ରାତିର ଅନ୍ଧକାରକୁ ରଂଗ ବେରଂଗୀ ଆଲୋକରେ ମନ ମୋହୁଛି । ଭଦ୍ରକ ସହରର ମା’ ବଙ୍କବାସୁଳୀ, ବାଇପାସ, ଜାନୁଗଂଜ, ଗାନ୍ଧିପଡିଆ, ଚରମ୍ପା ସ୍କୁଲରୋଡ୍, ଓଏସ୍ଆରଟିସି, ଏରେଇଁ ବିଶାଣିଖରିଦା, ପଥରକାଳୀ, ପି.ଡବ୍ଲ୍ୟୁଡି, ସାମରାଇପୁର-ପ୍ରାଚୀନଗର, ଏଲଖା, ନୀଳକଣ୍ଠପୁର, ସନ୍ଥିଆ, ଲାହାପଟି, ଗବସାହି, ସଂଗତ, ଦତ୍ତସାହି ବାଙ୍କାବଜାର, ଚନ୍ଦନବଜାର ଭଳି ପୂଜା ମଣ୍ଡପର ଆକର୍ଷଣୀୟ ତୋରଣ ଦର୍ଶକଙ୍କର ମନକୁ ବେଶ୍ ଛୁଇଁଛି । ଜାନୁଗଂଜ ଦୁର୍ଗା ମଣ୍ଡପରେ ୪ଦିନ ଧରି ନାଚ ଗୀତ ଆଦି ପରିବେଷଣ କରାଯିବା ସହ ଦଶହରା ଦିନ ମହାଆଡମ୍ବର ସହକାରେ ରାବଣପୋଡି କାର୍ଯ୍ୟକ୍ରମ କରାଯିବ । ପୌରପାଳିକା ପକ୍ଷରୁ ଏଥିପାଇଁ ସହରର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯିବା ସହ ପୂଜା ମଣ୍ଡପ ଗୁଡିକରେ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବିଷୟ କହିଛନ୍ତି ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ।
Related Stories
November 23, 2024