ସୂଚନା ଅନୁସାରେ ଏହି କାରଖାନାରେ ଗତକାଲି ରାତି ୧୦ଟା ପରେ ଜଣେ ଠିକାଦାର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଶରୀରେ କ୍ଷତ ଚିହ୍ନ ମାନ ମଧ୍ୟ ଥିଲା । ତାଙ୍କୁ ତୁରନ୍ତ ଆଇଜିଏଚ ନେବାରୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତାଙ୍କ ନାମ ଅଜୟ କୁମାର ବୟସ ୫୦ ରୁ ୬୦ ବର୍ଷ । ସେ ରାଜ୍ୟ ବାହାରର ଲୋକ । ସେ ଅନିମେଶ ଇଂଜିନିୟରିଂର ମାଲିକ ବୋଲି କୁହାଯାଇଛି । ଏହା ଦୁର୍ଘଟଣା ନୁହେଁ କାରଣ ତାଙ୍କର ମୃତଦେହ ମିଳିଥିବା ଯାଗାରେ ତାଙ୍କର କାମ ଚାଲିନଥିଲା ବୋଲି ଆରଏସପି କହିଛି ।
ଅନ୍ୟପକ୍ଷରେ ରାଉରକେଲା ଶ୍ରମିକ ସଂଘ (ଆରଏସଏସ) ସାଧାରଣ ସଂପାଦକ ପ୍ରଶାନ୍ତ ବେହେରା କହିଛନ୍ତି ଯେ, ଯେହେତୁ ମୃତଦେହ କାରଖାନା ଭିତରୁ ମିଳିଛି ସେନେଇ ସବୁ ଦିଗରୁ ତଦନ୍ତ ହେବା ଆବଶ୍ୟକ । ସର୍ବଭାରତୀୟ ବରିଷ୍ଠ ସିିପିଆଇଏମ ନେତା ବିଷ୍ଣୁ ମହାନ୍ତି କହିଛନ୍ତି ଯେ, ଯେହେତୁ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ସେପଟେ ଏହି ମାମଲାକୁ ନେଇ ତଦନ୍ତ କରାଯାଉ ବୋଲି ବିଏମଏସ ପକ୍ଷରୁ ଦାବି ହୋଇଛି । ତେବେ ଏହି ଘଟଣାକୁ ନେଇ କେତେକ ହତ୍ୟା ବୋଲି ମତ ଦେଉଥିବା ବେଳେ କେତେକ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି । କିନ୍ତୁ ଠିକାଦାରଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।
ଅପରପକ୍ଷରେ ଏ ବାବଦରେ ଆରଏସପି ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ଫାକ୍ଟ୍ରୀ ବୟଲର ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । ପୁଲିସ ତଦନ୍ତ ଜାରି ରହିଛି ।