ଖବର ନେବାରେ ଜଣାପଡିଛି, ପୁରୀ ସଦର ଉପକଣ୍ଠ ସମଗରା ପଚାଂୟତ ପାଇକସାହିର ରାମଚନ୍ଦ୍ର ରାଉତ ମାନସିକ ବିକୃତ ଯୋଗୁ ଦୀର୍ଘ ୧୮ବର୍ଷ ହେଲା ଶିକୁଳିରେ ବନ୍ଧାହୋଇ ଘରେ ମାଆଙ୍କ ସହିତ ରହୁଥିଲେ । ମାଆ ମଣ୍ଡି ରାଉତ ଶ୍ରୀମନ୍ଦିରରେ ନିର୍ମାଲ୍ୟ ବିକ୍ରି କରି ମିଳିଥିବା ଅର୍ଥରେ ଚଳୁଥିଲେ । କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ହେବାରୁ ମଣ୍ଡି ରାଉତଙ୍କ ବେଉସା ବନ୍ଦା ହୋଇଯାଇଥିଲା । ଶିକୁଳିରେ ବନ୍ଧା ହୋଇଥିବା ପୁଅର ଚିକିତ୍ସା ଓ ନିଜେ ଚଳିବା କଷ୍ଟକର ହୋଇପଡିଥିଲା । ଖବର ପାଇ କିଛି ସ୍ୱେଚ୍ଛାସେବୀ ଯୁବକ ମଣ୍ଡିଙ୍କ ଘରେ ପହଂଚି ରାମଚନ୍ଦ୍ରଙ୍କୁ ନେଇ ଭଲ କରିବା ପାଇଁ ମଣ୍ଡିଙ୍କୁ ପ୍ରତିଶୃତି ଦେବାସହ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀଙ୍କୁ ଜଣାଇବା ପରେ ସାମାଜିକ ସୁରକ୍ଷା ଅଧିକାରୀ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ସାମାଜିକ କର୍ମୀମାନଙ୍କ ସହାୟତାରେ ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ନୀଳାଚଳ ସେବା ପ୍ରତିଷ୍ଠାନରେ ଚିକିତ୍ସା ପାଇଁ ଛାଡିଥିଲେ । ମାନସିକ ବିକୃତ ରାମଚନ୍ଦ୍ରଙ୍କୁ ଅକ୍ଟୋବର ୯ତାରିଖ କଟକ ଏସ୍.ସି.ବି ମେଡ଼ିକାଲକୁ ଚିକିତ୍ସା ପାଇଁ ଅନୁଷ୍ଠାନର କର୍ମଚାରୀମାନେ ନେଇକରି ଯାଇଥିଲେ । ପ୍ରଥମେ କରୋନା ପରୀକ୍ଷା ହେବାକୁ ଡାକ୍ତର ପରାମର୍ଶ ଦେବାରୁ ରାମଚନ୍ଦ୍ର କରୋନା ପରୀକ୍ଷା ଗୃହରେ ପରୀକ୍ଷା ପାଇଁ ଯାଇଥିଲେ । ତାଙ୍କ ସହିତ ଯାଇଥିବା କର୍ମଚାରୀଙ୍କୁ ପରୀକ୍ଷା ଗୃହ ଭିତରକୁ ପ୍ରବେଶ କରିବାକୁ ଡାକ୍ତର ବାରଣ କରିବାରୁ ସେ ଦୁଆରମୁହଁରେ ବସିରହିଥିଲେ । ଦୀର୍ଘ ଏକ ଘଂଟା ଧରି ରାମଚନ୍ଦ୍ର ପରୀକ୍ଷା ଗୃହରୁ ନ ବାହାରିବାରୁ ପରୀକ୍ଷା ପାଇଁ ଥିବା କର୍ମଚାରୀ ପରୀକ୍ଷା ଗୃହ ମଧ୍ୟରେ ପ୍ରବେଶ କରି ଦେଖନ୍ତିତ ରାମଚନ୍ଦ୍ର ନାହାନ୍ତି । ସଙ୍ଗେ ସଙ୍ଗେ ତାଙ୍କ ସଙ୍ଗେ ଯାଇଥିବା କର୍ମଚାରୀ ଓ ଏସ୍.ସି.ବିର କେତେକ କର୍ମଚାରୀ ଦୀର୍ଘ ୪ ଘଂଟା ଧରି ଖୋଜାଖୋଜି କରି ନ ପାଇବାରୁ ଏସ୍.ସି.ବି ପରିସରରେ ଥିବା ଆଉଟ୍ ପୋଷ୍ଟରେ ଖବର ଦେବାସହ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏପରିକି ଅନୁଷ୍ଠାନ ପକ୍ଷରୁ ମଧ୍ୟ ମଙ୍ଗଳବାଗ ଥାନାରେ ଅନ୍ୟ ଏକ ଏତଲା ଦାୟର୍ ହୋଇଥିଲା । ତେବେ ଇତିମଧ୍ୟରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାମଚନ୍ଦ୍ର ନିଖୋଜ ଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନାହିଁ । ପ୍ରଶାସନ ମଧ୍ୟ ତାଙ୍କୁ ଖୋଜି ଠାବ କରିବାରେ ବିଫଳ ହୋଇଛି ।
ଅନ୍ୟପକ୍ଷରେ ହଜିଲା ପୁଅ କିପରି ତାଙ୍କ ପାଖକୁ ପୁଣି ଥରେ ଫେରିଆସିବ ସେଇ ଚିନ୍ତାରେ ମାଆ ମଣ୍ଡିଙ୍କ ଦିନ କଟୁଛି । ମନର ଦୁଃଖ ଓ କୋହକୁ ଚାପି ରଖି ପୁଅର ଫେରିବାବାଟକୁ ଅପେକ୍ଷା କରି ରହିଛନ୍ତି ବୃଦ୍ଧା ମା ।