
ମାଲକାନଗିରି– ପୋଲିସ, ବିଏସଏଫ, ଡ଼ିଭିଏଫ ଓ ଏସଓଜିର ମିଳିତ ଅପରେସନ ବେଳେ ସ୍ୱାଭିମାନ ଅଂଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଅଣ୍ଡରାପାଲି ନିକଟ ଜଙ୍ଗଲରେ ମାଟି ତଳେ ଡ଼ମ୍ପିଙ୍ଗ କରି ପୋତି ରଖାଯାଇଥିବା ଏସବୁ ସାମଗ୍ରୀକୁ ଜବତ କରିଛନ୍ତି ଯବାନ ମାନେ । ଜବତ ବିସ୍ଫୋରକ ସାମଗ୍ରୀ ମଧ୍ୟରେ ରହିଛି ୧୪ଟି ଗ୍ରେନେଡ୍, ୨ଟି ଲ୍ୟାଣ୍ଡମାଇନ, ୧୦୦ ରୁ ଉର୍ଦ୍ଧ୍ୱ ଗୁଳି । ଗତକାଲି ଗୁଇନ୍ଦା ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ଏବଂ ଅପରେସନ ବେଳେ ଏସବୁ ସାମଗ୍ରୀ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ।
ପ୍ରକାଶ ଥାଉ କି, ପୂର୍ବରୁ ମଧ୍ୟ ବିଚ୍ଛିନ୍ନାଚଂଳରେ ଦୁଇଟି ସ୍ଥାନରେ ମାଟି ତଳେ ଡ଼ମ୍ପିଙ୍ଗ କରି ପୋତି ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି ଯବାନ ମାନେ । ଯବାନ ମାନଙ୍କୁ ଟାର୍ଗେଟ୍ କରି ବଡ଼ ଧରଣର ବିସ୍ଫୋରଣ ଘଟାଇବା ଲକ୍ଷ୍ୟ ନେଇ ମାଓବାଦୀ ମାନେ ଏହିଭଳି ଢ଼ଙ୍ଗରେ ଅସ୍ତ୍ରଶସ୍ତ୍ର ସବୁକୁ ମାଟି ତଳେ ଠୁଳ କରି ରଖୁଥିବାର ନଜିର ରହିଛି । ତେବେ ଯବାନ ମାନଙ୍କ ଏହି ସଫଳତା ପରେ ଲାଲବାହିନୀର ସମସ୍ତ ଉଦ୍ୟମ ପଣ୍ଡ ହୋଇଛି ।