ନୂଆପଡ଼ା- କାମ କଲେ, ହେଲେ ପାରିଶ୍ରମିକ ବାବଦ ଟଙ୍କା ମାଗିବାରୁ ଗୋଡ ଓ ହାତର ଅଙ୍ଗୁଳି କାଟି ଦେଲା ଦାଦନ ଦଲାଲ୍ । ମହାରାଷ୍ଟ୍ର ରାଜ୍ୟର ନାଗପୁରରେ ନୂଆପଡା ଜିଲ୍ଲାର ଜଣେ ଓଡ଼ିଆ ଦାଦନ ଶ୍ରମିକ ଏଭଳି ଅକଥନୀୟ ନିର୍ଯାତନାର ଶିକାର ହୋଇଛନ୍ତି । ଶ୍ରମିକ ଜଣକ ଆଜି କୋମନା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସମ୍ପୂର୍ଣ୍ଣ ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଥିଲା ।
ଅଭିଯୋଗ ମୁତାବକ, ଗତ ରଥଯାତ୍ରା ସମୟରେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଟିକରାପଡ଼ା ଗାଁର ଚମାରୁ ପହରିଆଙ୍କୁ ଦୁଇ ଜଣ ଦଲାଲ୍ ଦୋଲା ସତନାମୀ ଓ ବିଦେଶୀ ସୁନାନୀ ଅଧିକ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ମହାରାଷ୍ଟ୍ରର ନାଗପୁରକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଏକ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଥିଲେ । ହେଲେ ପାରିଶ୍ରମିକ ବାବଦକୁ କୌଣସି ମଜୁରୀ ମିଳିନଥିଲା । ମଜୁରୀ ମାଗିବାରୁ ଦଲାଲ୍ ମାନେ ତାଙ୍କୁ ମଦ ପିଆଇ ଦେଇଥିଲେ ଏବଂ ଚମାରୁ ନିଶାସକ୍ତ ଅବସ୍ଥାରେ ପଡିଥିବା ବେଳେ ସେମାନେ ତାଙ୍କର ଡ଼ାହାଣ ହାତର ତିନୋଟି ଅଙ୍ଗୁଳି ଓ ଡାହାଣ ଗୋଡର ୫ଟି ଅଙ୍ଗୁଳି କାଟି ଦେଇଥିଲେ । ଏହା ପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ନାଗପୁର ରେଳ ଷ୍ଟେସନର ପ୍ଲାଟଫର୍ମରେ ଫିଙ୍ଗି ଚାଲି ଯାଇଥିଲେ । ରେଳ ସୁରକ୍ଷା ପୋଲିସ (ଆରପିଏଫ) ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନାଗପୁର ସିଟି ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହେବା ପରେ ଚମାରୁ ଘରକୁ ଫେରିଥିଲେ । ମାତ୍ର, ଦଲାଲଙ୍କ ଭୟରେ ସେ ଘଟଣା ସମ୍ପର୍କରେ ମୁହଁ ଖୋଲୁ ନଥିଲେ । ତେବେ ହାତ ଓ ଗୋଡର ଘା’ ଶୁଖି ନଥିବାରୁ ଆଜି ସେ କୋମନା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଏହି ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଛି । ଏନେଇ କୋମନା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Stories
November 23, 2024