ଶ୍ରୀ ଭଟ୍ଟ କହିଥିଲେ ଯେ ଆଇଟିଏଟି କଟକ ବେଞ୍ଚ ନ୍ୟାୟାଧିକାର କ୍ଷେତ୍ର ସମଗ୍ର ଓଡ଼ିଶା ହୋଇଥିବା ବେଳେ 1970ରେ ଏହା ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ପାଖାପାଖି 50 ବର୍ଷ ଧରି ଏହା ଭଡ଼ା ଘରେ ଚାଲି ଆସୁଥିଲା। ତେଣୁ ଆଇଟିଏଟିର କଟକ ବେଞ୍ଚ ଉଦଘାଟନ ହେବା ଫଳରେ ନ୍ୟାୟ ଚାହୁଁଥିବା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ। ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ ସୁବିଧା ରହିଛି। ଯାହାଫଳରେ କଟକ ବେଞ୍ଚ ଏଠାକାର ମାମଲା ସମେତ କୋଲକାତା ଜୋନରେ ଥିବା ଅନ୍ୟ ନିଷ୍କ୍ରିୟ ବେଞ୍ଚ ଯେପରିକି ରାଞ୍ଚି, ପାଟନା ଓ ଗୌହାଟୀ କ୍ଷେତ୍ରରୁ ଆସୁଥିବା ମାମଲାଗୁଡ଼ିକର ଦ୍ରୁତ ସମାଧାନ କରିପାରିବ।
23 ମେ, 1970ରେ ଆଇଟିଏଟିର କଟକ ବେଞ୍ଚ ପ୍ରତିଷ୍ଠା କରାଯାଇ କାର୍ଯ୍ୟାରମ୍ଭ କରାଯାଇଥିଲା । କଟକ ବେଞ୍ଚର ନ୍ୟାୟାଧିକାର କ୍ଷେତ୍ର ସମଗ୍ର ଓଡ଼ିଶାରେ ପରିବ୍ୟାପ୍ତ । 2015ରେ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଥିବା 1.60 ଏକର ଜମିରେ ଆଇଟିଏଟିର ନୂଆ କାର୍ଯ୍ୟାଳୟ ତଥା ଆବାସିକ ପରିସର ନିର୍ମିତ ହୋଇଛି । ମୋଟ 1938 ବର୍ଗମିଟର ସ୍ଥାନରେ କାର୍ଯ୍ୟାଳୟ ପରିସର ନିର୍ମାଣ କରାଯାଇଛି । ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆଦିଙ୍କ ପାଇଁ ବାର କକ୍ଷ ଆଦି ରହିଛି ।
ଏହି ଅବସରରେ, ଆଇଟିଏଟି ଉପରେ ଏକ ଇ-କଫି ଟେବୁଲ ପୁସ୍ତିକା ଏବଂ ‘2014 ପରଠାରୁ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସଂସ୍କାର’ ଶୀର୍ଷକ ଇ-ପୁସ୍ତିକା ଉନ୍ମୋଚିତ ହେବ ।
କୋଭିଡ ମହାମାରୀ ସମୟରେ ଆଇଟିଏଟିର ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରି ଆଇଟିଏଟି ସଭାପତି କହିଥଲେ ଯେ ସାରା ଦେଶରେ ଆଇଟିଏଟି ପକ୍ଷରୁ ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା କରାଯାଇଛି। କୋଭିଡ-19 ମହାମାରୀ କାରଣରୁ ଜାରି ହୋଇଥିବା ଲକଡାଉନ ଅବଧି ମଧ୍ୟରେ ଏଥିରେ ଭର୍ଚୁଆଲ ଶୁଣାଣି ହୋଇଛି। ଏହି ଅବଧି ମଧ୍ୟରେ ଆଇଟିଏଟିରେ ଦାୟର ହୋଇଥିବା 7251ଟି ମାମଲା ମଧ୍ୟରୁ 3778 ମାମଲାର ସମାଧାନ ହୋଇଛି। ସେ କହିଥିଲେ ଲୋକମାନଙ୍କୁ ଅଧିକ ନ୍ୟାୟ ଦେବା ଲାଗି ଆଇଟିଏଟି ପକ୍ଷରୁ ପ୍ରଯୁକ୍ତିର ବ୍ୟାପକ ଉପଯୋଗ କରାଯାଉଛି। ଆବେଦନକାରୀଙ୍କ ଆବେଦନ, କାଗଜପତ୍ର ଏବଂ ଅନ୍ୟାନ୍ୟା ଆବେଦନପତ୍ର ଇଲେକ୍ଟ୍ରୋନିକ ମାଧ୍ୟମରେ ଦାଖଲ କରିବା ଲାଗି ଏକ ନୂଆ ଇ-ପୋର୍ଟାଲ ପ୍ରସ୍ତୁତ ହୋଇସାରିଛି।
ଆଇଟିଏଟି ସମ୍ପର୍କରେ
ଆଇଟିଏଟି ନାମରେ ପରିଚିତ ଆୟକର ଆପିଲେଟ ଟ୍ରିବ୍ୟୁନାଲ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ସଂସ୍ଥା ଏବଂ ତଥ୍ୟ ପ୍ରମାଣ ମିଳିବା ପରେ ଏହାର ଆଦେଶକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯାଇଥାଏ । ଝାଡ଼ଖଣ୍ଡ ଓ ଗୁଜରାଟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ (ଅପସରପ୍ରାପ୍ତ) ପି. ପି. ଭଟ୍ଟ ବର୍ତ୍ତମାନ ଏହାର ମୁଖ୍ୟ ଅଛନ୍ତି ।
ପ୍ରଥମ ଟ୍ରିବ୍ୟୁନାଲ ଭାବେ 25 ଜାନୁଆରୀ, 1941ରେ ଆଇଟିଏଟି ପ୍ରତିଷ୍ଠା କରାଯାଇଥିଲା ଏବଂ ଏହା “ମୂଳ ଟ୍ରିବ୍ୟୁନାଲ” ଭାବେ ପରିଚିତ । ପ୍ରଥମେ ଦିଲ୍ଲୀ, ବମ୍ବେ ଓ କଲିକତାରେ ତିନୋଟି ବେଞ୍ଚ ସହିତ 1941ରେ ଏହା ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ଭାରତର 30ଟି ସହରରେ ଏହାର 63ଟି ବେଞ୍ଚ ଓ ଦୁଇଟି ସର୍କିଟ ବେଞ୍ଚ ରହିଛି ।
ଆଇଟିଏଟିର ଲକ୍ଷ୍ୟ ହେଉଛି “ନିରପେକ୍ଷ ସୁଲଭ ସତ୍ବର ନ୍ୟାୟ”, ଯାହାର ଅର୍ଥ ନିରପେକ୍ଷ, ସହଜ ଓ ଦ୍ରୁତ ନ୍ୟାୟ। 79 ବର୍ଷର ଗୌରବପୂର୍ଣ୍ଣ ଯାତ୍ରା ମଧ୍ୟରେ ଆଇଟିଏଟି ଆବେଦନକାରୀଙ୍କୁ ତୁରନ୍ତ ଓ ବାଧାମୁକ୍ତ ନ୍ୟାୟ ଦେବାରେ ସମସ୍ତ ପ୍ରକାରର ପ୍ରୟାସ କରିଛି।