ଭୁବନେଶ୍ୱର – ଜିଲ୍ଲାପାଳ ମାମଲାର ତଦନ୍ତ ପ୍ରତିଶ୍ରୁତି ଦେବା ପରେ ନୀଳଗିରି ବିଧାୟା ସୁକାନ୍ତ ନାୟକ ଧାରଣାରୁ ଉଠିଛନ୍ତି । ଏହା ପରେ ନିଳଗିରି ତହସିଲଦାର ଓ ବିଧାୟକ ମୁହାଁମୁହିଁ ହେବା ଘଟଣା ସାମାନ୍ୟ ଥଣ୍ଡା ପଡ଼ିଛି । ବିଧାୟକ ସୁକାନ୍ତ ନାୟକ ଦୀର୍ଘ ୧୫ଘଂଟା ପରେ ଧାରଣାରୁ ଉଠିଛନ୍ତି ।
ଉଲ୍ଲେଖନୀୟ ଯେ ନୀଳଗିରି ତହସିଲଦାର ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରି ଦୀର୍ଘ ୧୫ଘଂଟା କାଳ ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଶୁକ୍ରବାର ରାତିରେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ବିଧାୟକଙ୍କୁ ବୁଝାସୁଝା କରି ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଛନ୍ତି । ଗତକାଲି ନୀଳଗିରି ଥାନାରେ ଉଭା ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗରେ ମାମଲା ରୁଜ୍ଜୁ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ନୀଳଗିରି କଚେରୀ ପରିସରରେ ମୋହରିରମାନେ ଦୀର୍ଘ ଦିନ ହେଲା ଚାଳିଆ କରି ବସୁଥିଲେ । ହେଲେ ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା ନ କରି ଉକ୍ତ ଚାଳିଆକୁ ଉଚ୍ଛେଦ କରାଯାଇ ଥିବାରୁ ଏହାକୁ ତୀବ୍ର ବିରୋଧ କରିଥିଲେ ଶ୍ରୀ ନାୟକ । ଶୁକ୍ରବାର ସକାଳେ ନୀଳଗିରି ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର ଆର୍ଆଇ କୋର୍ଟ ପରିସରରେ ପହଞ୍ଚିବା ପରେ ଜେସିବି ସାହାଯ୍ୟରେ ଚାଳିଆ ଭଙ୍ଗା କାମ ଆରମ୍ଭ ହୋଇଥିଲା । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ବିଧାୟକ ସୁକାନ୍ତ ନାୟକ ପହଂଚିବା ପରେ ମୋହରିରମାନଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନ କରି କାହିଁକି ଚାଳିଆ ଭାଙ୍ଗୁଛ ବୋଲି ସେ ତହସିଲଦାର ଟୁଡ଼ୁଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉତ୍ୟକ୍ତ ବିଧାୟକ ସମସ୍ୟାର ସମାଧାନ ଦାବିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ ।