

କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଜାରି ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ସ୍ବତନ୍ତ୍ର ଗାଡି ମାଧ୍ୟମରେ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ, ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଶପଥ ସଂପର୍କିତ ଦସ୍ତଖତ ଅଭିଯାନରେ ସମସ୍ତ ବର୍ଗ ସାମିଲ ହୋଇଥିବାରୁ ଏହା ଆସନ୍ତା କାଲି ମଧ୍ୟ ଜାରି ରହିବ । ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଆଜି ସନ୍ଧ୍ୟାରେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏନଫୋର୍ସମେଣ୍ଟ କାର୍ଯ୍ୟକୁ ଆହୁରି କଡାକଡି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ବିଭିନ୍ନ ୱାର୍ଡରୁ ଟ୍ରାକ୍ଟର ମାଧ୍ୟମରେ ୫୯ ଟ୍ରିପ ଆବର୍ଜନା ସଂଗ୍ରହ କରାଯାଇଛି । ରାସ୍ତାକଡରେ ନିର୍ମାଣ ସାମଗ୍ରୀ, ଆବର୍ଜନା ରଖି ଅବରୋଧ କରିବା ସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନୀୟମ ଉଲଂଘନ କରିଥିବାରୁ ୩୯ ଜଣଙ୍କୁ ନୋଟିସ ଜାରି କରାଯାଇଛି ଓ ଅନ୍ୟମାନଙ୍କ ଠାରୁ ୬ ହଜାର ୭ ଶହ ୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଜି ଦିନକରେ ବିଭିନ୍ନ ୱାର୍ଡରେ ପ୍ରାୟ ୪.୮ କି.ମି. ପରିସରରୁ ଅନାବନା ଗଛ କଟାଯାଇ ସଫାକରାଯାଇଛି । ବୈଠକରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଉପ ଜିଲ୍ଲପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ