ଶ୍ରୀ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଡିସେମ୍ବର ମାସରେ କୋରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବାର ଆଶଙ୍କା ଥିବାରୁ ନଭେମ୍ବର ମାସରେ ସ୍କୁଲ ଖୋଲିବା ନିଷ୍ପତିକୁ ସ୍ଥଗିତ ରଖା ଯାଇଛି । ପିଲା ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ରାଜ୍ୟ ସରକାରଙ୍କର ପ୍ରାଥମିକତା । ତେଣୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ ଗତ ୩୧ ଅକ୍ଟୋବରରେ ଏସଆରସିଙ୍କ ଦ୍ୱାରା ଜାରୀ ଗାଇଡଲାଇନରେ କୁହା ଯାଇଥିଲା ଯେ ନଭେମ୍ବର ୧୬ ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଆବଶ୍ୟକୀୟ ଏସଓପି ତିଆରି କରି ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତି ନେଇ ପାରିବ । ଏହା ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଥିଲେ ଯେ ନଭେମ୍ବର ମାସରେ ସ୍କୁଲ ଖୋଲା ଯିବ ଓ ଏ ସମ୍ପର୍କରେ ଏସଓପି ପ୍ରସ୍ତୁତି ଚାଲିଛି । ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରା ଯାଇଥିବା ଦୃଷ୍ଟିରୁ ବଳକା ୭୦ ପ୍ରତିଶତ ପାଠ୍ୟକ୍ରମକୁ ନେଇ ଅଷ୍ଟମରୁ ଦ୍ୱାଦଶ ଯାଏ ପାଠ ପଢା ହେବ ବୋଲି ସୂଚନା ଦେଇଥିଲେ ।