କେନ୍ଦୁଝର/ହରିଚନ୍ଦନପୁର/ଘଟଗାଁ– ରାଜ୍ୟର ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଳୁ ପିଆଜର ଅହେତୁକ ଦରବୃଦ୍ଧି ପରିଲକ୍ଷିତ ହୋଇଛି । ଫଳରେ କରୋନା ମହାମାରୀ ପ୍ରଭାବରେ ଚାକିରୀ ଛାଡି ବାହାର ରାଜ୍ୟରୁ ଆସି ଘରେ ହାତ ବାନ୍ଧି ବସି ରହିଥିବା ଲୋକେ, ମଧ୍ୟବିତ ପରିବାରର ଲୋକେ ଓ ଦିନ ମଜୁରିଆ ଶ୍ରେଣୀର ଲୋକେ ବିଶେଷ କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦୁଝର ସହରରେ ଆଳୁ କେଜି ୪୦ ଟଙ୍କା ଏବଂ ପିଆଜ କେଜି ପ୍ରତି ୬୫ ଟଙ୍କା ରହିଛି । ସେହିପରି ଝୁମ୍ପୁରା ଅଂଚଳରେ ଆଳୁ କେଜି ପ୍ରତି ୪୦ ଟଙ୍କା ଓ ପିଆଜ ୬୫ ରହିଛି । ତେଲକୋଇ ଅଂଚଳରେ ଆଳୁ କେଜି ପ୍ରତି ୪୨ ଟଙ୍କା ଓ ପିଆଜ କେଜି ପ୍ରତି ୭୫ ଟଙ୍କା ରହିଛି । ସେହିପରି ବଡ଼ବିଲ ସହରରେ ଆଳୁ କେଜି ପ୍ରତି ୪୫ ଟଙ୍କା ଏବଂ ପିଆଜ ୮୦ ଟଙ୍କା ରହିଛି । ଯେଡ଼ାରେ ଆଳୁ କେଜି ପ୍ରତି ୪୦ ଟଙ୍କା ଏବଂ ପିଆଜ ୮୦ ଟଙ୍କା ରହିଛି ।
ଆନନ୍ଦପୁର ମୁଖ୍ୟ ବଜାରରେ ଆଳୁ କେଜି ପ୍ରତି ୪୫ରୁ ୫୦ ଟଙ୍କା ଏବଂ ପିଆଜ କେଜି ପ୍ରତି ୮୦ ଟଙ୍କା ରହିଛି ।
ଅନୁରୂପ ଭାବେ ଜିଲ୍ଲାର ଘଟଗାଁ ବ୍ଲକରେ ମୁଖ୍ୟତଃ ତିନୋଟି ସାପ୍ତାହିକ ହାଟ ଚାଲିଥିବା ବେଳେ ଆଳୁ କେଜି ପ୍ରତି ୩୫ରୁ ୪୦ ଟଙ୍କା ଏବଂ ପିଆଜ କେଜି ପ୍ରତି ୭୦ରୁ ୮୦ ଟଙ୍କା ରହିଛି ।
ହରିଚନ୍ଦନପୁର ବ୍ଲକ୍ ଅଂଚଳରେ ରହିଥିବା ହରିଚନ୍ଦନପୁର, ଭଗାମୁଣ୍ଡା, ରେବଣାପଳାସପାଳ, ତମ୍ଭାହରା, ବ୍ରାହ୍ମଣୀପାଳ, ଧୋରଡ଼ିଆମ୍ବ, ଗଉଣିଘଷା, ଖଡ଼ିବାହାଳି, ପିଠାଗୋଳା, ମନୋହରପୁର, ଭଅଁରପୁର, ବଡ଼ ପଳାସପାଳ, ଭୁକା, ବରେଇଗୁଡ଼ା, ଜଙ୍ଘିରା, ଦୈତାରୀ ଆଦି ୧୬ଟି ହାଟ ଓ ବଜାରରେ ଆଳୁ କେଜି ପ୍ରତି ୪୦ରୁ ୫୦ ଟଙ୍କା ଏବଂ ପିଆଜ କେଜି ପ୍ରତି ୭୦ରୁ ୮୦ ଟଙ୍କା ରହିଛି ।