ରାଉରକେଲା – ସୁନ୍ଦରଗଡ଼ ଜିଲ୍ଲା ୧୪୩ ନଂ ଜାତୀୟ ରାଜପଥର କୁଆଁରମୁଣ୍ଡା ନିକଟରେ ଏକ ସରକାରୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛି ।
ବସ୍ ଟି ବୀରମିତ୍ରପୁରରୁ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ରାସ୍ତାର ଦୁରାବସ୍ଥା ଓ ଦୃତ ଗତିରେ ଗାଡି ଚାଳନା କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ପରେ ବସ୍ ଓ ଟ୍ରକ୍ ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ରାଜପଥ ୪ ଲେନ୍ ବିଶିଷ୍ଟ ତିଆରି ପାଇଁ ଟେଣ୍ଡର ହୋଇଥିବା ବେଳେ ଏହାର ମରାମତି କାର୍ଯ୍ୟ ହେଉନାହିଁ । ଏପରି ସ୍ଥିତିରେ ରାସ୍ତାର ବିଭିନ୍ନ ସ୍ଥାନ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଅକାଳରେ ଅନେକ ଜୀବନ ହାନି ଘଟୁଛି । ତେଣୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।