-
ଏହି ଯୋଜନାରେ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର
ଇସିଏଲ୍ଜି ଯୋଜନାକୁ ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶଭାବେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏମ୍ଏସ୍ଏମ୍ଇ, ବ୍ୟବସାୟ ଉଦ୍ୟୋଗ, ବ୍ୟବସାୟ ପାଇଁ ବ୍ୟକ୍ତିଗତ ଋଣ ଏବଂ ମୁଦ୍ରା ଋଣକାରୀଙ୍କୁ ବିନା ବନ୍ଧକରେ ଅତିରିକ୍ତ ଋଣ ଗ୍ୟାରେଣ୍ଟି ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ । ଏ କ୍ଷେତ୍ରରେ ସରକାର ଗ୍ୟାରେଣ୍ଟରଭାବେ କାର୍ଯ୍ୟ କରୁଛନ୍ତି । ଯେଉଁମାନେ ଋଣ ନେଇଛନ୍ତି ସେମାନେ ତାହା 29 ଫେବୃୟାରୀ 2020 ସୁଦ୍ଧା ଯଦି ପରିଶୋଧ କରି ନ ଥିବେ, ସେହି ବକେୟା ଋଣର 20 ଶତାଂଶ ହିସାବରେ ଏହି ଅତିରିକ୍ତ ଋଣ ଯୋଗାଣର ବ୍ୟବସ୍ଥା ଏହି ଯୋଜନାରେ କରାଯାଇଛି । ସେହିଭଳି ଯେଉଁ ଋଣକାରୀଙ୍କ ଉପରେ 50 କୋଟିରୁ ଅଧିକ ଟଙ୍କାର ଋଣ 29 ଫେବୃୟାରୀ 2020 ସୁଦ୍ଧା ଥିବ ଏବଂ ସେମାନଙ୍କର ବାର୍ଷିକ କାରବାର 250 କୋଟି ଟଙ୍କା ହେଉଥିବ, ଏହି ଯୋଜନାରେ ସେମାନେ ମଧ୍ୟ ଅତିରିକ୍ତ ଋଣ ସହାୟତା ପାଇପାରିବେ । ଇସିଏଲ୍ଜି ଯୋଜନାରେ ସୁଧ ହାର ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନଗୁଡିକ ପାଇଁ 9.25 ଶତାଂଶ ଧାର୍ଯ୍ୟ କରାଯାଇଛି । ଅର୍ଥାତ୍ ଏମାନେ 9.25 ଶତାଂଶ ସୁଧରେ ଋଣ ଯୋଗାଇ ଦେବେ । ତେବେ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥାଗୁଡିକ ହିତାଧିକାରୀଙ୍କୁ 14 ଶତାଂଶ ସୁଧ ହାରରେ ଋଣ ଯୋଗାଇବେ । ଏହି ଯୋଜନାରେ 4 ବର୍ଷ ପାଇଁ ଋଣ ପ୍ରଦାନର ବ୍ୟବସ୍ଥା ରହିଛି ଏବଂ ଏକ ବର୍ଷ ପର୍ଯ୍ୟନ୍ତ ମୂଳଧନ ପରିଶୋଧ କରିବାକୁ ପଡିବ ନାହିଁ ।
ଇସିଏଲ୍ଜି ପୋର୍ଟାଲରେ ଋଣ ଯୋଗାଣକାରୀ ସଂସ୍ଥାଗୁଡିକ ଦ୍ୱାରା ଅପ୍ଲୋଡ ହୋଇଥିବା ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ଏହି ଯୋଜନାରେ 60.67 ଲକ୍ଷ ଆବେଦନକାରୀଙ୍କ ନିମନ୍ତେ 2.03 ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ଏହାଛଡା ଏ ପର୍ଯ୍ୟନ୍ତ ଏହି ଯୋଜନାରେ 1.48 ଲକ୍ଷ କୋଟି ଟଙ୍କା ହିତାଧିକାରୀଙ୍କୁ ଋଣ ଆକାରରେ ଯୋଗାଇ ଦିଆଯାଇଛି ।