
ଜଗତସିଂହପୁର– ଆସନ୍ତା କାଲି ତିର୍ତୋଲ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଭୋଟ୍ ଦାନ ନିମନ୍ତେ ମୋଟ୍ ୩୭୩ ଟି ବୁଥ୍ ରହିଛି । ତନ୍ମଧ୍ୟରୁ ୧୫୧ଟି ବୁଥ୍ ସମ୍ବେଦନଶୀଳ ରହିଛି । ପୋଲିସ ପ୍ରଶାସନ ଏହା ଉପରେ ମଧ୍ୟ କଡ଼ା ନଜର ରଖିଛି । କିପରି ଶୃଙ୍ଖଳିତ ଭୋଟ୍ ଗ୍ରହଣ ସାଙ୍ଗକୁ କୋଭିଡ଼୍ କଟକଣାକୁ ପାଳନ କରାଯିବ ସେନେଇ ପ୍ରଶାସନ ତତ୍ପର ହୋଇଉଠିଛି । ମତଦାନକୁ ପରିଚାଳନା ନିମନ୍ତେ ବିଭିନ୍ନ ବୁଥରେ ୪୦ ଜଣ ମାଇକ୍ରୋ ଅବଜରଭର ଓ ପ୍ରତ୍ୟେକ ବୁଥରେ ଜଣେ ଜଣେ ଆଶା କର୍ମୀ ଓ ସ୍ୱେଚ୍ଛାସେବୀ ରହିବେ । ଏହିପରି ମୋଟ୍ ୮୦୦ ଜଣଙ୍କୁ ନିୟୋଜିତ କରାଯାଇଛି । ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ଫୋର୍ସ ମୁତୟନ ରହିବେ । ପୋଲିସର ବରିଷ୍ଠ ଅଧିକାରୀ ଓ ମାଜିଷ୍ଟ୍ରେଟ୍ ଏହାର ତଦାରଖ କରିବେ ।