ପୁରୀ – ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକ ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି କାର୍ତିକ ମାସ ନୀତି ନିର୍ଘଂଟ ଚୂଡ଼ାନ୍ତ କରିବା ସଂପର୍କରେ ଆଲୋଚନା ହୋଇଥିଲା । ହବିଷ୍ୟାଳିମାନେ କିପରି ଠିକ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ସଂପର୍କରେ ଆଲୋଚନା ହୋଇଥିଲା । ନିଯୋଗର ସଦସ୍ୟମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ନିଯୋଗର କେତେକ ସଭ୍ୟମାନଙ୍କର ଅନେକ ସମସ୍ୟା ରହିଥିଲା; ସେ ସଂପର୍କରେ କେତେକ ସମସ୍ୟାର ସମାଧାନ ହୋଇଛି । ଆଉ କେତେକ ସମସ୍ୟା ଗୁରୁବାର ଦିନ ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ମଧ୍ୟରେ ଆଲୋଚନ ହୋଇ ସମାଧାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କାର୍ତିକ ମାସରେ ଶ୍ରୀମନ୍ଦିର ଅଧିକ ଭିଡ଼ ରହୁଥିବାରୁ ଭିଡ଼ କମାଇବା ପାଇଁ କିଭଳି ବ୍ୟବସ୍ଥା କରାଯିବ ସେ ସଂପର୍କରେ ଅଧିକ ଆଲୋଚନା ହୋଇଥିଲା । ବୟସାଧିକ ହବିଷ୍ୟାଳିମାନେ କିପରି ସୁରୁଖୁରୁରେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଆନନ୍ଦ ବଜାରରେ ହବିଷ୍ୟାଳିମାନଙ୍କ ପାଇଁ ମହାପ୍ରସାଦ ସେବନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଜିଲ୍ଲାପାଳ ବଲବନ୍ତ ସିଂ ହବିଷ୍ୟାଳିଙ୍କ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଲେ, ପ୍ରାୟ ୨୫ ଶହରୁ ୩ ହଜାର ହବିଷ୍ୟାଳିମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଉଛି । ରେଳବାଇ ଟୁରିଷ୍ଟ କମ୍ପେ୍ଲକ୍ସ, ମୋଚିସାହି କଲ୍ୟାଣମଣ୍ଡପ ଓ ନୂତନ ଭାବେ ଉଦଘାଟିତ ହେବାକୁ ଥିବା ହବିଷ୍ୟାଳି ବିଲ୍ଡିଂରେ ହବିଷ୍ୟାଳିଙ୍କ ରହଣୀ ପାଇଁ ବ୍ୟବସ୍ଥା କରାଯାଇଛି । ୩ଟି ସ୍ଥାନରେ କିପରି ସେମାନେ ସୁରୁଖୁରୁରେ ରହିପାରିବେ ତା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରହିବା, ଖାଇବା, ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ସେଠାରେ ସ୍ୱେଚ୍ଛାସେବୀ ମାନେ ରହି କାମ କରିବେ । ସୁଆର ମହାସୁଆର ନିଯୋଗ ଅବଢା ଦରବୃଦ୍ଧି ପାଇଁ କରିଥିବା ଦାବି ସଂପର୍କରେ କଥାବାର୍ତା ଚାଲିଛି । ୩ଟି ଯାକ ହବିଷ୍ୟାଳି ରହଣୀ କେନ୍ଦ୍ରରେ କିପରି ପ୍ରତ୍ୟେହ ଠିକ୍ ସମୟରେ ମହାପ୍ରସାଦ ପହଂଚିପାରିବ ତା’ର ସୁବନ୍ଦୋବସ୍ତ କରାଯିବ । ହବିଷ୍ୟାଳିଙ୍କୁ ଯୋଗାଇ ଦିଆଯାଉଥିବା ଅବଢାର ଦରବୃଦ୍ଧି ସଂପର୍କରେ କଥାବାର୍ତା ଚାଲିଛି । ମହାପ୍ରସାଦ କିପରି ମନ୍ଦିରରୁ ବାହାରକୁ ଆସିବ ସେଗୁଡିକ କିପରି ଗାଡିରେ ରହଣୀ ସ୍ଥଳକୁ ଆସିବ ସେ ସଂପର୍କରେ ସ୍ୱେଚ୍ଛାସେବୀଙ୍କ ସହ ଆଲୋଚନା କରାଯାଇଛି । ହବିଷ୍ୟାଳିମାନେ କିପରି ସୂର୍ଯ୍ୟାସ୍ତ ପୂର୍ବରୁ ମହାପ୍ରସାଦ ସେବନ କରିବେ ସେଥିପାଇଁ ପ୍ରଶାସନ ତତ୍ପର ରହିବ । ହବିଷ୍ୟାଳି ମାନେ ଶିବିରରେ ସକାଳୁ ତୁଳସୀ ଚଉରାମୂଳେ ପୂଜା କରିବା, ଧର୍ମଶାସ୍ତ୍ର ଶୁଣିବେ, ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଓ ଆକାଶଦୀପ ପ୍ରଜ୍ଜ୍ୱଳନ ସଂପର୍କରେ ବ୍ୟବସ୍ଥା କରାଯାଉଛି । କାର୍ତିକ ମାହାତ୍ମ୍ୟ, ପୁରାଣଶାସ୍ତ୍ର ସଂପର୍କରେ ଦିବ୍ୟବାଣୀ ଶୁଣାଇବା ପାଇଁ ପୁରାଣ ପଣ୍ଡାଙ୍କ ବ୍ୟବସ୍ଥା କରାଯାଉଛି । ଭଜନ କୀର୍ତନ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ କହିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଉମାଶଙ୍କର ଦାଶ, ଛତିଶା ନିଯୋଗର କମକର୍ତା, ପରିଚାଳନା କମିଟିର କେତେକ ସଦସ୍ୟ ପ୍ରମୁଖ ଯାଗଦେଇଥିଲେ ।
Related Stories
November 25, 2024