ମାଲକାନଗିରି– ଚିତ୍ରକୋଣ୍ଡା ବ୍ଳକ୍ ସ୍ୱାଭିମାନ ଅଂଚଳର ପାପରମେଟେଲା ଥାନା ଅନ୍ତର୍ଗତ ଆନ୍ଧ୍ରସୀମାନ୍ତ ରାଲେଗେଡ଼ା ପଚାଂୟତ ଅଂଚଳରେ ଗତ ଦୁଇ ଦିନ ଧରି ଏସଓଜି ଓ ବିଏସଏଫ ଯବାନଙ୍କ ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଦୀର୍ଘ ସମୟ ଧରି ଦୁଇଟି ସ୍ଥାନରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନଥିଲେ ମଧ୍ୟ ବହୁ ମାଓ ନେତା ଏହି ଗୁଳି ବିନିମୟ ସମୟରେ ଖସି ପଳାଇବାରେ ସକ୍ଷମ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ମାଓନେତା ଅରୁଣା ଓ ଜଗନ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଯବାନ ମାନେ ୩୨ ଟି ଡ଼ିଟୋନେଟର, ଗୋଟିଏ ଆଇଡି ବିସ୍ଫୋରକ, ୧୬ ରାଉଣ୍ଡ ଗୁଳି, ଗୋଟିଏ ମାଗାଜିନ୍, ରେଡ଼ିଓ, ମାଓ ପୋଷାକ, ମାଓ ପତ୍ରିକା, ପୋଷ୍ଟର, ବ୍ୟାନର, କିଟ୍ ବ୍ୟାଗ୍ ଆଦି ଜବତ କରିଛନ୍ତି । ଏହି ଗୁଳି ବିନିମୟରେ ବହୁ ମାଓବାଦୀ ମୃତାହତ ହୋଇଥିବା ନେଇ ପୋଲିସ ଆଶଙ୍କା ପ୍ରକାଶ କରିଛି ।