କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ସୋମବାର ଆଶ୍ୱିନ ଶୁକ୍ଳ ଦଶମି ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ମାନ ପାଳିତ ହୋଇଅଛି ।ସକାଳ ୭.୩୫ ରେ ଅବକାଶ ବଢିବା ପରେ, ସକାଳ ୭.୫୦ ରେ ସର୍ବାଙ୍ଗ ଚନ୍ଦନ ଲାଗି ହୋଇ , ନୂଆଲୁଗା ଲାଗି ହୋଇଥିଲେ । ଏଥିରେ ୩୨ ମୂର୍ତି ତଡାଉ ଦ୍ୱାରା ଶ୍ରୀଜୀଉ ମାନଙ୍କର ରାଜବେଶ (ସୁନାବେଶ) ସକାଳ ୯.୨୫ ରେ ହୋଇଥିଲା । ଏଥିରେ ୫ ଖଣ୍ଡ ଆଜ୍ଞା ମାଳ ଲାଗି ହୋଇଥିଲା । ଏହାପରେ ପାଣିପଡି ସକାଳ ୧୦ ଟାରେ ଗୋପାଳବଲ୍ଲଭ ,୧୦.୩୦ ରେ ସକାଳଧୂପ ସାରିଲାପରେ ଭଣ୍ଡାର ଦୁଆର ଠାରେ ପୂଜାରେ ବସିଥିବା ଆୟୁଧ ମାନଙ୍କୁ ମହାସ୍ନାନ କରାଯାଇଥିଲା |ବରୁଣ ପୂଜା ପରେ ସହସ୍ରାକୁମ୍ଭାଭିଷେକ ନୀତି ହୋଇ ୬ ଜଣ ମେକାପ ୩ ଟି ରୁପା ଥାଳିରେ ଆୟୁଧ ମାନଙ୍କୁ ନେଇ ଘଣ୍ଟ , ଛତା, କାହାଳୀ ପଟୁଆରରେ ମନ୍ଦିର ମଧ୍ୟରେ ୩ ବେଢ଼ା ପରିକ୍ରମା ପରେ, ଭିତର ସିଂହାସନକୁ ଆୟୁଧ ମାନଙ୍କୁ ବିଜେ କରିଥିଲେ । ପାଳିଆ ପୁଷ୍ପାଳକ ଆୟୁଧ ଲାଗି କରିଥିଲେ । ବଡ ବାଡ଼ରେ ହଳ ମୂଷଳ , ମଝି ବାଡ଼ରେ ତଡଗୀ ,ମହାପ୍ରଭୁ ଙ୍କ ବାଡ଼ରେ ଶଙ୍ଖ,ଚକ୍ର ଲାଗି କରିଥିଲେ । ସେପଟେ ଦକ୍ଷିଣୀ ଘରେ ମଦନମୋହନ, ରାମକୃଷ୍ଣ ବୀର ବେଶ ହୋଇ ସିଂହାସନକୁ ବିଜେ କରିଥିଲେ । ସେଠାରେ ମଙ୍ଗଳlର୍ପଣ ୧.୩୦ ରେ ବଢିଲା ପରେ ଆଜ୍ଞାମାଳ ପାଇ ପାଞ୍ଚ ଠାକୁର ପାଲିଙ୍କି , ରଥ ଓ ବିମାନକୁ ୧.୪୦ ରେ ବିଜେ କରିଥିଲେ ।ପାଲିଙ୍କିରେ ରାମ କୃଷ୍ଣ ,ରଥରେ ଦୁର୍ଗା ମାଧବ ଓ ବିମାନରେ ମଦନମୋହନ ବିଜେ ହୋଇ ଘଣ୍ଟ , ଛତା , କାହାଳୀ ବଜନ୍ତୀ ପଟୁଆର ରେ ସିଂହଦ୍ୱାର ଦେଇ ମହାଖଳାକୁ (ଶ୍ରୀଜଗନ୍ନାଥ ବଲ୍ଲବ ମଠ) ୨.୪୫ ରେ ବିଜେ କରିଥିଲେ ।ସେଠାରେ ପ୍ରସାଦଲାଗି, ଭୋଗ ବନ୍ଦାପନା ପରେ ଅପରାହ୍ନ ୪.୧୫ ରେ ବାହୁଡା ଵୀଜେ ହୋଇ ମାଧବ ସିଂହାସନକୁ , ଦୁର୍ଗା ଭଣ୍ଡାରକୁ, ରାମକୃଷ୍ଣ, ମଦନମୋହନ ଦକ୍ଷିଣ ଘରକୁ ବାହୁଡା ବିଜେ କରିଥିଲେ । ଏହା ପରେ ମହାପ୍ରଭୁ ଙ୍କ ଦୈନ ଦିନ ନୀତି ଅନୁଷ୍ଠିତ ହୋଇଥିଲା | ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସୂଚନା ମିଳିଛି |
Related Stories
November 23, 2024