ହରିଚନ୍ଦନପୁର – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘଷଣାଟାଙ୍ଗର ଗ୍ରାମରେ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ଭଳି ସ୍ବଚ୍ଛ ଭାରତ ଯୋଜନାର ପାଇଖାନାରେ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ଯୋଜନାରେ ଅନ୍ତର୍ଭୂକ୍ତ ଏକାଧିକ ହିତାଧିକାରୀଙ୍କ ଟଙ୍କା ଅଧାପାନ୍ତରିଆ ଅବସ୍ଥାରେ ଛାଡ଼ି ଅବଶିଷ୍ଟାଂଶ ଟଙ୍କାକୁ ହରିଲୁଟ୍ କରାଯାଇଛି ।
ଖବର ଅନୁଯାୟୀ, ପିଠାଗୋଳା ପଞ୍ଚାୟତରେ ଯେଉଁଭଳି ଜିଆରଏସ ଘରଗୁଡିକୁ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ବଳକା ସମସ୍ତ ଟଙ୍କା ହରିଲୁଟ୍ କରିଥିଲେ । ସେହିଭଳି ଘଷଣାଟାଙ୍ଗର ଗ୍ରାମରେ ସମିତି ସଭ୍ୟ ତ୍ରିଲୋଚନ ମହାନ୍ତ ଅନେକ ହିତାଧିକାରୀଙ୍କ ଗୃହ ନିର୍ମାଣ ଦାୟିତ୍ୱ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଅଧପାନ୍ତରିଆ ଅବସ୍ଥାରେ ଛାଡିଦେଇ ସମ୍ପୂର୍ଣ୍ଣ ଟଙ୍କା ଉଠାଇ ନେଇଥିବା ଚିତ୍ର ଏବେ ପଦାକୁ ଆସିଛି । ଏମାନେ ଠିକାଦାର ସାଜି ଗରିବଙ୍କ ଟଙ୍କାରେ ନିଜେ ମାଲେମାଲ୍ ହୋଇ ନିଜର ସମ୍ପତ୍ତି ବଢାଇ ଚାଲିଥିବା ବେଳେ ଯୋଗ୍ୟ ହିତାଧିକାରୀ ଭଲ ଘରକୁ ଚାହିଁ ଚାହିଁ ଭଙ୍ଗା କୁଡ଼ିଆରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏହି ଗ୍ରାମରେ ସରକାରଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ କୁସୁମୀ ମୁଣ୍ଡା, ଜିତେନ ମୁଣ୍ଡା, ବିକ୍ରମ ମୁଣ୍ଡା, ଭାସ୍କର ମୁଣ୍ଡା, ରୁକ୍ମଣୀ ମୁଣ୍ଡା, ନରସିଂ ମୁଣ୍ଡାଙ୍କ ଘର ଗୁଡିକର ନିର୍ମାଣ କାର୍ଯ୍ୟ ସଭ୍ୟ ତ୍ରିଲୋଚନ ମହାନ୍ତ ନିଜ ହାତକୁ ନେଇଥିଲା । ସେହି ଘର ଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ସମସ୍ତ ଟଙ୍କା ଉଠାଇ ନେଇଥିବା ଯୋଗ୍ୟ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଗ୍ରାମର ଗରିବ ହିତାଧିକାରୀ ନରସିଂ ମୁଣ୍ଡାଙ୍କ ଘରର ସୂଚନା ଫଳକ ସେହି ଗ୍ରାମର ଗୋବିନ୍ଦ ମୁଣ୍ଡାଙ୍କ ଘରର କାନ୍ଥରେ ଲିପିବଦ୍ଧ କରି ସମ୍ପୂର୍ଣ୍ଣ ଟଙ୍କା ବିଲ୍ କରିନେଇଛନ୍ତି । ଯାହାକୁ ନେଇ ନରସିଂଙ୍କ ପରିବାର ଅଧାପନ୍ତରିଆ ଘରକୁ ଚାହିଁ ଚାହିଁ ଦୀର୍ଘଦିନ ହେବ ପର ଘରେ ତିନି ଛୁଆଙ୍କୁ ନେଇ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ସେହିଭଳି ଗ୍ରାମରେ ସ୍ବଚ୍ଛ ଭାରତ ଯୋଜନାରେ ୧୨ ହଜାର ଟଙ୍କାର ପାଇଖାନା ପାଇଥିବା ଶତାଧିକ ହିତାଧିକାରୀଙ୍କ ପାଇଖାନା ଗୁଡିକ ଅଧନିର୍ମିତ ଅବସ୍ଥାରେ ଛାଡ଼ି ଅବଶିଷ୍ଟାଶଂ ବଳକା ଟଙ୍କାକୁ ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି । ସାଧାରଣତଃ ଅଧିକାଂଶ ପାଇଖାନାର କବାଟ ଲାଗିନଥିବା ସହ ଟାଙ୍କି ନିର୍ମାଣ ହୋଇନାହିଁ । ଅନୁରୂପ ଭାବେ ଅନେକ ପାଇଖାନା ଗୁଡିକ ଭାଙ୍ଗିବାକୁ ବସିଥିବା ବେଳେ ସେଗୁଡିକ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାକୁ ନେଇ ହିତାଧିକାରୀମାନେ ମଳତ୍ୟାଗ ପାଇଁ ପୂର୍ବ ଭଳି ଖୋଲା ସ୍ଥାନ ବା ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ଯୋଜନାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଧସମ୍ପୂର୍ଣ୍ଣ ଘର ଓ ପାଇଖାନା ଗୁଡିକ ସମ୍ପୂର୍ଣ୍ଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।