ହରିଚନ୍ଦନପୁର – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲଦାରଙ୍କ ଦୃଷ୍ଟି ପଡୁନାହିଁ, ବାଲି ମାଫିଆଙ୍କ କବଜାରେ ମୂଷଳ ନଦୀ, ଦୈନିକ ଲକ୍ଷାଧିକ ଟଙ୍କା ରାଜସ୍ବ ହାନି । ଗତ କିଛି ଦିନ ପୂର୍ବେ ହରିଚନ୍ଦନପୁର ତହସିଲଦାରଙ୍କ ବଦଳି ପରେ ହରିଚନ୍ଦନପୁର ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାତି ଅଧିଆ ତହସିଲଦାରଙ୍କୁ ବଦଳି କରିବାରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଥିଲା, ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କେଉଁ କାରଣରୁ ଆଜି ପର୍ଯ୍ୟନ୍ତ ନୂତନ ତହସିଲଦାର ଯୋଗାଇ ଦେବାରେ ପ୍ରଶାସନ ବିଫଳ । ତହସିଲଦାରଙ୍କ ବଦଳି ଓ ଘଟଗାଁ ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ବ ମିଳିବା ପରେ ଏଠାରେ ଦୈନିକ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଥିବା ଦେଖିବାକୁ ମିଳିଛି । ଦାୟିତ୍ଵରେ ଥିବା ତହସିଲଦାର ପ୍ରତ୍ୟେକ ଦିନ ମନଇଚ୍ଛା ଏଠାରୁ ଗାଡ଼ି ଡକାଇ ଘଟଗାଁରୁ ଆସୁଥିବା ସହ ଯାଉଥିବା ଯୋଗୁଁ, ଉକ୍ତ ଗାଡିର ଡ୍ରାଇଭର ଦିନରେ ତହସିଲଦାରଙ୍କ ଡ୍ରାଇଭର ଓ ରାତିରେ ତହସିଲଦାର ସାଜି ଅନେକ ଟ୍ରାକ୍ଟର ଯୋଗେ ସାରାରାତି କଲେଜ ପଛପାଖ ମୂଷଳ ନଦୀର ସାପୁଆ ଘାଟରୁ ବାଲି ଚୋରା ଚାଲାଣ କରୁଥିବା ଜନସାଧାରଣରେ ଚର୍ଚ୍ଚା ଯୋର୍ ଧରିଛି । ଖବର ଅନୁଯାୟୀ ଏମାନେ ଦିନରେ ବାଲି ଗ୍ରାହାକ ଠିକ୍ କରି ରାତି ଠିକ୍ ୧୦ଟା ସମୟରେ ବାଲି ଚୋରା ଚାଲାଣ ଆରମ୍ଭ କରିଥାନ୍ତି । ସକାଳ ୭ଟା ସମୟ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ବାଲି ପହଞ୍ଚାଇ ପରେ ଅଧିକ ଲାଭବାନ ଆଶାରେ ଗୋଟିଏ ଘଣ୍ଟା ବା ୭ଟାରୁ ୮ଟା ପର୍ଯ୍ୟନ୍ତ କଲେଜ ପଛପାଖରେ ଖଣ୍ଡେ ଖଣ୍ଡେ ଜାଗାରେ ୨୦ରୁ ୩୦ ଟ୍ରିପ୍ ଲେଖାଏଁ ବାଲି ଗଚ୍ଛିତ କରିରଖିଥାନ୍ତି । ରାତିଅଧିଆ ଲୋକଙ୍କ ପାଖରେ ବାଲି ପହଞ୍ଚାଉଥିବା ନେଇ ବାଲି ଟ୍ରିପର ଦାମ୍ ଅଧିକ ନେଉଛନ୍ତି । ଏନେଇ ତହସିଲଦାରଙ୍କ ପାଖରେ ଖବର ଥିଲେ ମଧ୍ୟ କେଉଁ କାରଣରୁ ଦୃଷ୍ଟି ଗୋଚର ଆଣୁନାହାନ୍ତି ତାହାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି । ଏହି ଘଟଣା ସମ୍ପର୍କରେ ପୂର୍ବରୁ ଅଭିଯୋଗ ପରେ ଲୋକ ଦେଖାଣିଆ ଗୋଟିଏ ଟ୍ରାକ୍ଟର ଜବତ କରିଯାଇ ସେଥିରେ ୪୫ହଜାର ଟଙ୍କା ଯୋରିମାନା ଆଦାୟ ହୋଇଥିଲା । ହେଲେ ତା ପରେ ପ୍ରଶାସନ କେଉଁ ଉଦ୍ଦେଶ୍ୟରେ ନା କାହା ସ୍ୱାର୍ଥରେ ନିରବଦ୍ରଷ୍ଟା ସାଜିଛି । ଏହିଭଳି ଭାବେ ପ୍ରତ୍ୟେକ ଦିନ ବାଲି ଚୋରା ଚାଲାଣ ହେଲେ ଆଗାମୀ କାଲିରେ ହରିଚନ୍ଦନପୁର ଠାରେ ହେବାକୁ ଥିବା ଉନ୍ନତିମୂଳକ କାର୍ଯ୍ୟ କିମ୍ବା ସ୍ଥାନୀୟ ଲୋକଙ୍କ ଘର ନିର୍ମାଣ ନିମନ୍ତେ ବାଲି ରହିବନାହିଁ ।
Related Stories
November 24, 2024
November 24, 2024