
ଭୁବନେଶ୍ୱର- ପ୍ରତ୍ୟେକ ମଣିଷ ଜୀବନରେ ଜନ୍ମଦିବସଟି ଆସେ । ସାମ୍ପ୍ରତିକ ଯୁଗରେ ଯୁବକ ଯୁବତୀମାନେ ଆଡ଼ମ୍ବରରେ ବନ୍ଧୁମାନଙ୍କ ସହ ହୋଟେଲରେ ମୌଜ ମଜଲିସ୍ରେ ଜନ୍ମଦିନ ପାଳନ କରୁଥିବା ବେଳେ ଯୁବ ସମାଜସେବିକା ଶିବାଙ୍ଗୀ କିନ୍ତୁ ଭିନ୍ନ ଢଙ୍ଗରେ ଜୟଦେବ ବିହାରସ୍ଥିତ \”ଚେତନା ମାନସିକ ଦିବ୍ୟାଙ୍ଗ ବିଦ୍ୟାଳୟ\’ରେ ଦିବ୍ୟାଙ୍ଗ ପିଲାଙ୍କ ସହ ଖୁସିରେ ପୂର୍ବ ବର୍ଷ ଭଳି ଜନ୍ମଦିନ ପାଳନ କରିଥିଲେ । ପିଲାମାନଙ୍କ ଗହଣରେ କେକ୍ କାଟିବା, ଜଳପାନ କରିବା ଓ ନୃତ୍ୟ ଗୀତ ସହ ଜନ୍ମଦିନ ପାଳନ କରିଥିଲେ । ସ୍ୱେଚ୍ଛାସେବୀ ସଙ୍ଗଠନ \”ୟୁଥ୍ ଫର୍ ଭଲ୍ୟୁଂଟାରି ୱାର୍କ\’ର ଏକ କର୍ତବ୍ୟନିଷ୍ଠ ସ୍ୱେଚ୍ଛାସେବୀ ଭାବେ ଶିବାଙ୍ଗୀ ସାମନ୍ତରାୟ ସର୍ବଦା ତତ୍ପର । କୁମାରୀ ସାମନ୍ତରାୟ ଓଡ଼ିଶାର ଏକ ସୁପରିଚିତା ଓଡ଼ିଶୀ ନୃତ୍ୟଶିଳ୍ପୀ ସହ କମଳାନେହେରୁ ମହିଳା ମହାବିଦ୍ୟାଳୟର ପୂର୍ବତନ ସାଧାରଣ ସମ୍ପାଦିକା । ଏହି ଅବସରରେ ଓଡ଼ିଆ ସିନେଜଗତର ସୁନାମଧନ୍ୟ ହାସ୍ୟ ଅଭିନେତା ଜ୍ଞାନ ବାରିକ, ଚେତନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ସାର୍ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ରୂପେ ଯୋଗ ଦେଇଥିବା ଶ୍ରୀ ବାରିକ ଦିବ୍ୟାଙ୍ଗ ପିଲାମାନେ ମାନସିକ ଭାବେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ହୃଦୟରୁ ବହୁତ ଭଲ ଅଟନ୍ତି ବୋଲି କହିଥିଲେ । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଦୀପ ସାର୍ \”ୟୁଥ୍ ଫର୍ ଭଲ୍ୟୁଂଟାରି ୱାର୍କ\’ର ଏହିଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।