ପଟ୍ଟାମୁଣ୍ଡାଇ– କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସହରର ଦୁର୍ଗାପୂଜା ଜିଲ୍ଲାରେ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ । ସହରରେ ଏବେ ୨୫ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗାଙ୍କ ସହିତ ବିଭିନ୍ନ ଦେବାଦେବୀଙ୍କ ମୃଣ୍ମୟ ପ୍ରତିମା । ଚଳିତ ବର୍ଷ କୋଭିଡ କଟକଣାରେ ଦୁଇଟି ପୂଜାମଣ୍ଡପରେ ମୂର୍ତ୍ତି ପୂଜା ବନ୍ଦ ରହିଥିବାରୁ ଏବେ ୨୩ଟି ପୂଜାମଣ୍ଡପରେ ପୂଜା ଆରମ୍ଭ ହୋଇଛି । ଏହି ପୂଜା ମଣ୍ଡପ ମଧ୍ୟରୁ ଥାନା ମେଢ ଓ କଚେରୀ ଦୁର୍ଗା ପୂଜାର ନିଆରା ପରମ୍ପରା ରହିଛି । ଏହି ଦୁଇ ମେଢରେ ବିଭାଗୀୟ ମୁଖ୍ୟ ସରକାରୀ କର୍ମଚାରୀ ପୁରୋଧା ହୋଇଥାନ୍ତି । କଚେରୀ ଦୁର୍ଗା ମେଢରେ ପଟ୍ଟାମୁଣ୍ଡାଇ ତହସିଲଦାର ମୁଖ୍ୟ ଭୂମିକା ନିଭାଉଥିବା ବେଳେ ଥାନା ମେଢର ମୁଖ୍ୟ ହେଉଛନ୍ତି ପଟ୍ଟାମୁଣ୍ଡାଇ ଥାନା ଭାରାପ୍ରାପ୍ତ ଅଧିକାରୀ । ଦୁର୍ଗାପୂଜାକୁ ସାର୍ବଜନୀନ କରିବାକୁ ୧୯୭୯ ମସିହାରେ ତତ୍କାଳୀନ ଥାନା ଅଧିକାରୀ ଏଠାରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ପୂଜା ଆରମ୍ଭ କରିଥିଲେ । ଏହି ପୂଜାରେ ସେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କର ସେତୁବନ୍ଧ ବାନ୍ଧିଥିଲେ । ଥାନା ସଂଲଗ୍ନ ବ୍ୟବସାୟୀ ମାନଙ୍କୁ ବସାଇ ପୂଜା କମିଟି ଗଠନ କରିଥିଲେ । ଯେଉଁଥିରେ ସେ ନିଜେ ସଭାପତି ରହିଥିଲେ । 4 ହିନ୍ଦୁ ଓ ମୁସଲମାନ ମାନେ ଏହି ପୂଜା କମିଟିର ସଦସ୍ୟ ଅଟନ୍ତି । ପରସ୍ପର ମଧ୍ୟରେ ଚାନ୍ଦା ଭେଦା ଆଦାୟ କରନ୍ତି । ଏକାଠି ବସି ପୂଜାର ନିତି ନିର୍ଦ୍ଧାରଣ କରିନ୍ତି । ବଦଳନ୍ତି ଥାନା ବାବୁ ହେଲେ ବଦଳେନା ପରମ୍ପରା । ପୂଜା ଆରମ୍ଭ ହେବା ବର୍ଷରୁ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅହଲ୍ୟା ଉଦ୍ଧାର ଉପାଖ୍ୟାନର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିଲା ମୂର୍ତ୍ତି । ୧୧ ତମ ବର୍ଷରେ ରାବଣ ବଧ ଉପାଖ୍ୟାନରେ ନିର୍ମାଣ ହୋଇଥିଲା ମୂର୍ତ୍ତି । ୧୨ ତମ ବର୍ଷରେ ମହାପ୍ରଭୁ ଶ୍ରୀରାମଙ୍କ ରାଜା ଅଭିଷେକ ମୂର୍ତ୍ତି ଆରମ୍ଭ ହେଲା । ଏ ପର୍ଯ୍ୟନ୍ତ ସେହି ରାମ ଅଭିଷେକ ମୂର୍ତ୍ତି ଭାବରେ ଏଠି ପୂଜାର୍ଚ୍ଚନା ଚାଲି ଆସୁଛି । ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଇନ୍ସପେକ୍ଟର ରାକେଶ କୁମାର ତ୍ରିପାଠୀ ରାମ ଅଭିଷେକ ପୂଜା କମିଟିର ସଭାପତି ଭାବେ କର୍ତ୍ତା ଆସନରେ ଅଛନ୍ତି । କୋଭିଡ୍ କଟକଣା ସହିତ କଳସ ବୁଡାଇବା ଠାରୁ ଆରମ୍ଭ କରି ସେ ପୂଜାରେ ସମସ୍ତ ବିଧିରେ ରହିଛନ୍ତି ।
କମିଟିର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି, ସମ୍ପାଦକ ଦିଗାମ୍ବର ପାଢୀ, ନୁର୍ ମହମ୍ମଦ, ସୁକାନ୍ତ ନାୟକ, ସେକ୍ ଇବ୍ରାହିମ୍, ବିଭୂତିଭୂଷଣ ଦାଶ, ସେକ୍ ଆସାନ ଅଲ୍ଲୀ, ପିତାମ୍ବର ପାଢୀ ସେକ୍ ଅକ୍ତର, ସଂଗ୍ରାମ ସାହୁ ଆଦି ଅନେକ । ଏହି ରାମ ଅଭିଷେକ ପୂଜା କମିଟିର ଆଦର୍ଶ ପୂଜା ବଜାରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଏହାଦ୍ବାରା ପୂଜା କମିଟି କେବଳ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁବନ୍ଧ ବାନ୍ଧିନି ଏହା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସମ୍ପର୍କର ଭାଇଚାରାର ମାଧ୍ୟମ ହୋଇଆସିଛି ।