● ପ୍ରଥମେ କହୁଥିଲେ ପାଗଳ ଏବେ ଖୁସିରେ ହାତ ମିଳାନ୍ତି
● ପରିବେଶକୁ ସବୁଜିମା କରିବା ଲକ୍ଷ୍ୟ
● ପ୍ରତ୍ୟେକ ଦିନ ଲଗାଉଛନ୍ତି ଗଛ
ବାଲେଶ୍ବର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ପ୍ରତିଦିନ କୋଉଠି ନା କୋଉଠି ଗଛଟିଏ ଲଗେଇବା ତାଙ୍କର ନିଶା। ଗଛ ଲଗେଇବା ଛଡା ସେ ଭାବନ୍ତିନି କିଛି ବି। ଗଛମଣିଷ ଭାବେ ସେ ଚିହ୍ନା ପଡିଲେଣି। ଘର ବାଲେଶ୍ଵର, ଅସ୍ଥାୟୀ କର୍ମଚାରୀ ଭାବରେ ଚାକିରି କରନ୍ତି ଭୁବନେଶ୍ୱର ଆୟକର ଅଫିସରେ। ସେ ହେଲେ ବିଜୟ ଜେନା।
କୋଡିଏ ବର୍ଷ ତଳେ ପରିବେଶକୁ ସବୁଜିମା କରିବାର ପାଇଁ ନିଶା ଘାରିଥିଲା ବିଜୟଙ୍କୁ। ଗାଁରେ ଯାହା ଯାହା ବାଡ଼ିରେ ଫାଙ୍କା ଦେଖୁଥିଲେ କୋଦାଳ ଓ ଗଛ ଧରି ମାଟି ତାଡ଼ି ଗଛଟିଏ ଲଗାଇବା ଆରମ୍ଭ କରୁଥିଲେ। ଚିହ୍ନା ଥାଉ କି ନଥାଉ। ଯଦି ବାଡ଼ି ଖାଲି ଅଛି ତାହେଲେ ଉପଯୁକ୍ତ ଗଛଟିଏ ଲଗାଇବାକୁ ପାଗଳ ପରି ହୋଇଯାଉଥିଲେ ସେ। କାହାର କିଛି ଅନୁମତି ଦରକାର ପଡେନା ତାଙ୍କୁ। ନିଜ ଇଚ୍ଛାରେ ଏମିତି ପ୍ରତ୍ୟେକଙ୍କ ଘରେ ଗଛ ଲଗାଇବା ଆରମ୍ଭ କଲେ ବିଜୟ। ଏହା ଦେଖି ଗାଁ ଲୋକେ ତାଙ୍କୁ ସତରେ ପାଗଳ ବୋଲି କହିଲେ। ତାଙ୍କ ଉପରେ କେହି କେହି ବିରକ୍ତ ବି ହେଲେ। ମାତ୍ର ଏଥିରୁ ସେ ପଛଘୁଞ୍ଚା ନଦେଇ ଲାଗିରହିଲେ ନିଜ କାମରେ। ୨୦୦୨ ମସିହାରୁ ଅଦ୍ୟାବଧି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଗଛ ପ୍ରତ୍ୟେକ ଦିନ ଲଗାଉଛନ୍ତି ବିଜୟ। ରାସ୍ତା କଡ଼ ହେଉ କି କୌଣସି
ସରକାରୀ ଜମି ଅବା କାହା ବାଡ଼ିରେ, ସେ ପ୍ରତ୍ୟେକ ଦିନ ଗୋଟିଏରୁ ଉର୍ଦ୍ଧ୍ବ ଗଛ ନିହାତି ଲଗାନ୍ତି। ସେଥିପାଇଁ ସେ ଏବେ ଟ୍ରି-ମ୍ୟାନ୍ ନାମରେ ବେଶ୍ ପରିଚିତ ବି ହୋଇଗଲେଣି।
ବିଜୟ ଭୁବନେଶ୍ବରସ୍ଥ ଆୟକର ବିଭାଗରେ କାଜୁଆଲ୍ କର୍ମଚାରୀ ଭାବେ ଦୀର୍ଘ ୨୨ ବର୍ଷ ଧରି କାମ କରୁଛନ୍ତି। କିନ୍ତୁ ଗଛ ଲଗାଇବା ତାଙ୍କର ଏକ ପ୍ରକାର ନିଶା ପାଲଟି ଯାଇଛି।
ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଗଡ଼ପୋଖରୀ ଗ୍ରାମରେ ବିଜୟଙ୍କ ଘର। ବାପା ଚିନ୍ତାମଣି ଜେନା।
ବିଜୟ ୨୦୦୨ ମସିହାରୁ ଗଛ ଲଗାଇ ସମାଜର କି ଯେ ଉପକାର କରୁଛନ୍ତି, ତାର ମୂଲ୍ୟ ଦେଇ ହେବନାହିଁ। ବିଜୟଙ୍କ ପରି ପ୍ରକୃତି ଓ ପରିବେଶକୁ ଏତେ ବେଶି ଭଲ ପାଉଥିବା ଲୋକ ଖୁବ୍ କମ୍ ଅଛନ୍ତି। ଆଶ୍ଚର୍ଯ୍ୟର କଥା ଏସବୁ ପାଇଁ ସେ କାହାଠୁ ବି ପଇସାପତ୍ର ନିଅନ୍ତି ନାହିଁ। ନିଜର ସ୍ଵଳ୍ପ ଆୟରୁ ସେ ଖର୍ଚ୍ଚ କରନ୍ତି ଓ ପରିବେଶକୁ ସବୁଜିମାରେ ଭରିଦେଉଛନ୍ତି।
ପ୍ରତ୍ୟେକ ଦିନ ସକାଳ ୬ ରୁ ୮ ଟା ପର୍ଯ୍ୟନ୍ତ କେଉଁଠିକୁ ବି ଯାଇ ସେ ଗଛ ଲଗାଇବା ବିଧିନିର୍ଦ୍ଦିଷ୍ଟ। କାହାର ଘର ହେଉ କିମ୍ବା ରାସ୍ତା କଡ଼ ଜାଗା, ସବୁଠି ଗଛ ଲଗାନ୍ତି ବିଜୟ। ଏଥିସହିତ ପ୍ରତ୍ୟେକ ଶନିବାର ଓ ରବିବାରରେ ସେ ବାଲେଶ୍ବରରେ ଗଛ ଲଗାନ୍ତି। ଭୁବନେଶ୍ୱରରୁ ସାଙ୍ଗରେ ଗଛ ନେଇକି ଆସିଥାନ୍ତି। ଖାଲି ଏତିକି ନୁହେଁ, ଗଛର ସୁରକ୍ଷା ପାଇଁ ସେ ବାଡବତା ଓ ଅଖା ଗୁଡ଼ାଇ ଦିଅନ୍ତି। ଯଦ୍ଵାରା ଗୋରୁଗାଈ ଗଛଟିକୁ ନଷ୍ଟ କରିପାରନ୍ତି ନାହିଁ। ଏହାବ୍ୟତୀତ ସେ ରାତିରେ
୧୦ ରୁ୧୧ ଟା ସମୟରେ ଡ୍ରମରେ ପାଣି ଧରି ସାଇକେଲରେ ବୁଲି ବୁଲି ଲଗାଇଥିବା ଗଛରେ
ପାଣି ଦିଅନ୍ତି। ସରକାର ଳଗାଇଥିବା ଜାଗାରେ ଗଛ ମରିଗଲେ ସେହି ଫାଙ୍କା ଶୂନ୍ୟସ୍ଥାନ ପୂରଣ କରିବା ଦାୟିତ୍ବ ବିଜୟଙ୍କର। ବିଭିନ୍ନ ପ୍ରକାର ପ୍ରକାର ଗଛ ଯଥା ନିମ୍ବ, କରଞ୍ଜ, ଆକାଶିଆ, ଅଶୋକ, ବର, ଓସ୍ତ, ପେସ୍ତା, ଶାଗୁଆନ, ଜାମୁ, ବଉଳ, ଅଁଳା, ପିଜୁଳି, ଆମ୍ବ, ପଣସ, ଶିରିଶ, ଅର୍ଜୁନ, ବେଲ, କଦମ୍ବ ଓ ମେହଗାନି ଆଦି ଗଛ ଲଗାଇଥାନ୍ତି ବିଜୟ। ପୁରୀ ବାଇପାସ୍ ରୋଡରେ ଓସ୍ତଗଛ ଲଗାଇଥିବା ବେଳେ ଭୁବନେଶ୍ବର ଓ ବାଲେଶ୍ବର ଜିଲ୍ଲାର ସବୁ ଅଞ୍ଚଳରେ ଗଛ ଲଗାଉଛନ୍ତି। ମହାବାତ୍ୟା ‘ଫନି’ ପରେ ତାଙ୍କର ଦାୟିତ୍ବ ଅଧିକ ବଢ଼ି ଯାଇଥିବା କଥା ସେ କହିଛନ୍ତି। ସେ ସମୟରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ପଡ଼ିଥିବା ଗଛ କାଟିବା ସହ ନୂଆ ଗଛ ଲଗାଇବା ଆରମ୍ଭ କରିଦେଇଥିଲେ ବିଜୟ। କାହାକୁ ଅପେକ୍ଷା ନକରି ସେ ବାହାରି ପଡନ୍ତି। ଏମିତିକି ସେ ବର୍ଷା ଦିନରେ ବି ଖାଲିରେ ବସନ୍ତି ନାହିଁ। ପ୍ରତ୍ୟେକ ଋତୁ ଓ ପ୍ରତ୍ୟେକ ଦିନ ଗଛ ଲଗାଇବା ତାଙ୍କର କାମ।
ବିଜୟ ଭୁବନେଶ୍ବର ଅଫିସ ଓ ବାଲେଶ୍ବର ଗଡ଼ପୋଖରୀରେ ନିଜେ ନର୍ସରୀ ପ୍ଲାଣ୍ଟ କରିଛନ୍ତି। ଯେଉଁଥିରେ ପରିବାର ଲୋକ ସହଯୋଗ କରନ୍ତି। ଛୋଟ ଛୋଟ ଗଛ ସଂଗ୍ରହ କରି ତାକୁ ଚକୋଲେଟ୍ ଡବା କିଣି ସେଥିରେ ବାଲି ମାଟି ଦେଇ ଗୋଟିଏ ବର୍ଷ ରଖନ୍ତି। ବାକି ଗଛ ଡିଏଫ୍ଓ ଅଫିସରୁ ଆଣିଥାନ୍ତି। କହିବାକୁ ଗଲେ ସେ ଏ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି। ତାଙ୍କର ଗୋଟେ ଗ୍ରୁପ ବି ରହିଛି, ଯେଉଁମାନେ ଏଥିରେ ସହଯୋଗ କରନ୍ତି। ବିଜୟ ବିଶେଷକରି ଗାଁ ଗହଳି ଅଞ୍ଚଳକୁ ଯାଇ ଳୋକଙ୍କୁ ସଚେତନ କରାନ୍ତି। କେବଳ ଏତିିକିରେ ସରିନି ବିଜୟଙ୍କ କଥା। ତାଙ୍କ ମୃତ୍ୟୁ ପରେ ନିଜ ଶରୀରକୁ ସେ ଦାନ କରିଦେଇଛନ୍ତି। ତାଙ୍କ ଶରୀରକୁ ନେଇ ମେଡିକାଲ ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ। ଏଥିପାଇଁ କୋର୍ଟରେ ଏଗ୍ରିମେଣ୍ଟ ବି ହୋଇଛି। ଏଥିସହିତ ସେ ସହାୟତା ପାଇଁ ଲୋକଙ୍କୁ ୨୦ ଥରରୁ ଅଧିକ ରକ୍ତଦାନ କରିଛନ୍ତି।
ଏସମ୍ପର୍କରେ ବିଜୟ କହନ୍ତି, “ସହରରେ ଗଛପତ୍ର କମି ଗଲାଣି। ଖାଲି କଂକ୍ରିଟ ସହର ମୁଣ୍ଡ ଟେକିଲାଣି। ଅମ୍ଳଜାନ କମି କମି ଆସିଲାଣି। କିଛି ଦିନ ପରେ ଆମେ ସମେସ୍ତ ନାକରେ ଥଳି ବାନ୍ଧିକି ବୁଲିବା। ଏଗୁଡ଼ା କେହି ବୁଝୁ ନାହାଁନ୍ତି। ମୁଁ ଲଗାଇଥିବା ଶହେ ଗଛରୁ ୨୦ ଟି ବଞ୍ଚିଲେ ବି ମୁଁ ଖୁସି। ମୋର ଉଦ୍ଦେଶ୍ୟ ଏତେ ପ୍ରଚାର କରିବାର ନୁହେଁ। ବିଭାଗ ମୋତେ ଏଥିପାଇଁ ସମ୍ବର୍ଦ୍ଧିତ କରିବା ପରେ ସମସ୍ତେ ଜାଣିଲେ। ନହେଲେ ମୁଁ ପ୍ରତ୍ୟେକ ଦିନ ଫେସ୍ବୁକରେ ଗଛ ଲଗାଇବାର ଫଟୋ ସହିତ ବାର୍ତ୍ତାଟେ ଦିଏ। ସେଥିପାଇଁ ବହୁତ ଲୋକ ଏଥିରୁ ଅନୁପ୍ରାଣୀତ ହୋଇ ଗଛ ଲଗାଉଛନ୍ତି। ଏମିତିକି କାହାର ପୋଷ୍ଟ ଦେଖିଲେ କମେଣ୍ଟ ପରିବର୍ତ୍ତେ ମୁଁ ଗଛର ଚିତ୍ରଟିଏ ଦିଏ, ଜନ୍ମଦିନରେ ଫଟୋ ପୋଷ୍ଟ ହେଉଥିବା ଦେଖିଲେ ସେଥିରେ ଗଛଟିଏର ଚିତ୍ର ପୋଷ୍ଟ କରେ। କାରଣ ଜଣେ ଜନ୍ମ ଦିନରେ ଗଛଟିଏ ଲଗାଇଲେ ସ୍ମୃତି ହୋଇ ମନେରହିବ। କିମ୍ବା ଯାହାର ପିଲା ଜନ୍ମ ହେଉଛି ସେତେବେଳେ ଯଦି ଜଣେ ଗଛଟିଏ ଳଗାଇବ ତାହେଲେ ପିଲା ବଢ଼ିବା ସହ ଗଛଟିଏ ସ୍ମୃତି ହୋଇ ରହିବ। ଜଗତର କଲ୍ୟାଣ ବି ହେବ। ଏବେ ମୁଁ ଗାଁ ଗହଳିରେ ପଶି ଲୋକଙ୍କୁ ବୁଝାଉଛି। ଯେଉଁ ଲୋକମାନେ ମୋତେ ସେତେବେଳେ ପାଗଳ କହୁଥିଲେ ଏବେ ମୋ ସହ ହାତ ମିଳାଉଛନ୍ତି।”