ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଆଜି ଆଉ ୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬୧୨ କୁ ବୃଦ୍ଧି ପାଇଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି । ସେହିପରି ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ପୌରାଚଂଳରୁ ୧୧ ଜଣ, ମାଲକାନଗିରି ବ୍ଲକରୁ ୫ ଜଣ, ବାଲିମେଳା ବିଜ୍ଞାପିତ ଅଂଚଳରୁ ୩ ଜଣ, ମାଥିଲି ବ୍ଲକରୁ ଜଣେ ଓ କୋରକୁଣ୍ଡା ବ୍ଲକରୁ ୯ ଜଣ, ଖଇରପୁଟ ବ୍ଲକରୁ ଜଣେ, କାଲିମେଳା ବ୍ଲକରୁ ୨ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି । ତନ୍ମଧ୍ୟରେ ତିନି ଜଣ କରୋନା ଯୋଦ୍ଧା ରହିଛନ୍ତି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ବିଭିନ୍ନ କ୍ଲିନିକରୁ ରେଫର୍ ହୋଇ ଚିକିତ୍ସା ନିମନ୍ତେ ମେଡିକାଲକୁ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୧୧ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୬ ଜଣ ସଂକ୍ରମିତ ହୋଇଛନ୍ତି ।
ଅଦ୍ୟାବଧି ଜିଲ୍ଲାରେ ୪୨୮୮ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୩୧୦ ରହିଛି । ସେହିପରି ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।