Related Stories
November 24, 2024
ହରିଚନ୍ଦନପୁର,ଦୀର୍ଘ ୭ ମାସର ବ୍ଯବଧାନ ପରେ ଚଳିତ ମାସ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ବ୍ରାହ୍ମଣିପାଳ ଠାରେ ରବିବାର ସାପ୍ତାହିକ ହାଟ ଖୋଲାଯାଇଛି । ହେଲେ ହାଟର ଜରୁରୀ ସମସ୍ୟା ଗୁଡିକ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ସରକାରୀ କର୍ମଚାରୀ କେବଳ ଏହି ହାଟରୁ ଟିକସ ଆଦାୟ କରିଚାଲିଛନ୍ତି କିନ୍ତୁ ସମସ୍ୟା ଉପରେ ଦୃଷ୍ଟି ଦେଉନାହାନ୍ତି । ବହୁ ଆଗରୁ ହାଟ ଖୋଲିବା ପାଇଁ (ଆରଏମସି) ପ୍ରୟାସ କରିଥିଲେ ମଧ୍ୟ ଖୋଲିପାରିନଥିଲେ । କାରଣ କୋଭିଡ କଟକଣା ପାଇଁ ବିଭିନ୍ନ ମହିଳା ସଂଗଠନ ଓ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ ଜାରି ରହିଥିଲା । ଶେଷରେ ରାସୋଳ ପଞ୍ଚାୟତ ସରପଞ୍ଚ ନାରଣ ପୂର୍ତ୍ତୀଙ୍କ ଉଦ୍ଯମରେ ଆରଏମସି ଅଧିକାରୀ ଓ ସ୍ଥାନୀୟ ଜନସାଧାରଣମାନଙ୍କ ମଧ୍ୟରେ ଏକ ବୈଠକ ବସି ହାଟ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା । ଉକ୍ତ ବୈଠକରେ ହାଟରେ ସାମାଜିକ ଦୂରତା ଓ ମାକ୍ସ ଉପରେ ଗୁରୁତ୍ବ ଦିଆଯିବା ସହ ଓ କେବଳ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ବିକ୍ରି ପାଇ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତି ପରେ ସ୍ଥାନୀୟ ଦୈତାରୀ ଥାନା ଅଧିକାରିଣୀ ତୁଳସୀ ମଞ୍ଜରୀ ଭୂୟାଁଙ୍କ ଅନୁମତି ନିଆଯାଇଥିଲା । ଏହା ଏକ ଆଦିବାସୀ ଗ୍ରାମାଞ୍ଚଳ ହୋଇଥିବାରୁ ଅଞ୍ଚଳବାସୀ ଜନସାଧାରଣ ହାଟ ଉପରେ ଅଧିକ ନିର୍ଭରଶୀଳ ହୋଇଥାନ୍ତି । ଅନେକ ମାସ ପରେ ଏହି ହାଟ ଖୋଲାଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଥିଲା । ସବୁଠାରୁ ବଡ଼କଥା, ଏହି ହାଟ ବହୁ ପୁରାତନ ହାଟ୍ ଭାବେ ବେଶ୍ ପରିଚିତ । ଏହା କେନ୍ଦୁଝର ଜିଲ୍ଲା ଆରଏମସି ଅଧିନରେ ରହିଥିଲେ ହେଁ ଆଜି ପର୍ଯ୍ଯନ୍ତ ହାଟ ମଧ୍ୟରେ ବେପାରୀମାନଙ୍କ ଦୋକାନ ପାଇଁ ପିଣ୍ଡିର ବ୍ଯବସ୍ଥା କରାଯାଇନାହିଁ । ଏମିତିକି ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ମଧ୍ୟ ନିର୍ମାଣ କରାଯାଇ ନଥିବା କାରଣରୁ ନାହିଁ ନଥିବା ଅସୁବିଧାରେ ବେପାରୀ ଓ ଜନସାଧାରଣ । ପିଣ୍ଡି କରିବା ପାଇଁ ମିଥ୍ଯା ପ୍ରତିଶୃତି ଦେଇ ବର୍ଷ ପରେ ବର୍ଷ ଗଡେଇ ଠକି ଚାଲିଛନ୍ତି ଆରଏମସି କତୃପକ୍ଷ । ସରକାର ହାଟରୁ ସାପ୍ତାହିକ ମୋଟା ଅଙ୍କର ଟିକସ୍ ଆଦାୟ କରୁଥିବା ବେଳେ ହାଟର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ ଆଜି ପର୍ଯ୍ୟନ୍ତ କେଉଁ କାରଣରୁ କରାଯାଉନାହିଁ ତାହାକୁ ନେଇ ସାଧାରଣରେ ଉଠୁଛି ବିଭିନ୍ନ ପ୍ରଶ୍ନ । ଦୁଃଖର ବିଷୟ ଏମିତିକି ହାଟ ମଧ୍ୟରେ ଆଜି ପର୍ଯ୍ୟନ୍ତ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା ହୋଇପାରିନାହିଁ । ଯାହାକୁ ନେଇ ହାଟକୁ ଆସୁଥିବା ଶହଶହ ଜନସାଧାରଣ ପିଇବା ପାଣି ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇ ଶେଷରେ କୁଶେଇ ନଦୀର ଦୁଃଶିତ ପାଣିକୁ ଭରସା କରୁଥିବା ଦେଖିବାକୁ ମିଳିଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଦୃଷ୍ଟି ଦେଇ ରହିଥିବା ସମସ୍ୟାର ସମାଧାନ କରିବାକୁ ଜନସାଧାରଣରେ ଦାବି ହୋଇଛି ।