ନୂଆଦିଲ୍ଲୀ, କିଙ୍ଗସ ଇଲେଭେନ ପଂଜାବ ହାତରେ ଆଇପିଏଲରେ ନିଜର ୧୦ମ୍ୟାଚରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ପରାଜୟ ହୋଇଛି । ମ୍ୟାଚ ପରେ ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର କହିଛନ୍ତି, ନିଜର ଟିମ ୧୦ ରନ କମ ସଂଗ୍ରହ କରିଥିଲା । କିନ୍ତୁ ମ୍ୟାଚ ହାରିବା ପରେ ଟିମ ଆସନ୍ତା ମ୍ୟାଚରେ ପୁଣି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ଚଳିତ ସଂସ୍କରଣର ୩୮ତମ ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶିଖର ଧୱନଙ୍କ ଅପରାଜିତ ୧୦୬ ରନ ବଳରେ ଦିଲ୍ଲୀ ୧୬୪ ରନ ସଂଗ୍ରହ କରିଥିଲା । ଜବାବରେ ପଂଜାବ ୧୯ ଓଭରରେ ୫ଟି ୱିକେଟ ହରାଇ ଲକ୍ଷ୍ୟ ପୂରା କରିନେଇଥିଲା ।
ପଂଜାବ ଲାଗି ନିକୋଲାସ ପୂରନ ସର୍ବାଧିକ ୫୩ ରନ ସଂଗ୍ରହ କରିଥିଲେ । ପୂରନ ୨୮ଟି ବଲର ସମ୍ମୁଖୀନ ହୋଇ ୬ଟି ଚୌକା ଓ ୪ଟି ଛକା ଲଗାଇଥିଲେ । ଏହା ବ୍ୟତୀତ ଗ୍ଲେନ ମେକ୍ସୱେଲ ୨୪ଟି ବଲ ଖେଳି ୩ ଚୌକା ବଳରେ ୩୨ ରନ ଦଳ ପାଇଁ ଯୋଡ଼ିଥିଲେ । ସେହିପରି କ୍ରିସ ଗେଲ ୨ ଛକା ଓ ୩ ଚୌକା ବଳରେ ୨୯ ରନ ସଂଗ୍ରହ କରିଥିଲେ ।
ମ୍ୟାଚ ପରେ ପୁରସ୍କାର ବିତରଣୀ ସମାରୋହରେ ଆୟାର କହିଥିଲେ, ଆମେ ୧୦ ରନ କମ ସଂଗ୍ରହ କରିଥିଲୁ । ମାତ୍ର ହାରିବା ପରେ ଏହି ମ୍ୟାଚରୁ କିଛି ଶିଖିବାକୁ ମିଳିଛି । ଶିଖର ଧୱନଙ୍କ ବ୍ୟାଟିଂ ନେଇ ଆୟର ସକରାତ୍ମକ ପକ୍ଷ ରଖିଛନ୍ତି । ତୁଷାର ଭଲ ପ୍ରଦର୍ଶନ କରିପାରିଲେ ନାହିଁ । କିନ୍ତୁ ମୋର ଆଶା ଯେ, ଆସନ୍ତା ମ୍ୟାଚରେ ସେ ଭଲ ଖେଳିବେ । ମୁଁ ଭାବୁଛି ନିଜ ସ୍ତରରେ ଆଜି ଆମେ ଭଲ ପ୍ରଦର୍ଶନ କରିନାହୁଁ, କିନ୍ତୁ ଆସନ୍ତା ମ୍ୟାଚ ଭଲ କରିବୁ ବୋଲି ଆୟର କହିଛନ୍ତି ।