ଗଞ୍ଜାମ– ଲଘୁଚାପଜନିତ ସମ୍ଭାବ୍ୟ ଭୀଷଣ ବର୍ଷା ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି । ବର୍ଷା ବିତ୍ପାତ ପ୍ରଭାବରେ କୌଣସି ସମସ୍ୟା ନଉପୁଜିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗତକାଲି ବିଳମ୍ବିତ ରାତିରେ ଜୁମ୍ ଭିଡ଼ିଓ କନଫରେନ୍ସୀ ଜରିଆରେ ଜିଲ୍ଲାସ୍ତରିୟ ଅଧିକାରୀ ମାନଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବର୍ଷାର ମୁକାବିଲା କରିବା ନିମନ୍ତେ ବିଭିନ୍ନ ଅଂଚଳରେ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ତିତିଲି ବାତ୍ୟାର ଅନୁଭୂତିକୁ ନେଇ ଆରମ୍ଭ ହୋଇଯାଇଥିବା ବର୍ଷା ପରିସ୍ଥିତି ମୁକାବିଲା କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ଠାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରୀ ରହିବା ଦୃଷ୍ଟିରୁ ସେ ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ଅନୁରୋଧ କରିଛନ୍ତି । ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ରାସ୍ତା ଉପରେ ୧ ମିଟର ଉଚ୍ଚରେ ପାଣି ରହି ଯାନବାହନ ବୁଡାଇ ଦେଇପାରେ । ସ୍ଥାନାନ୍ତରିତ ସମୟରେ ବହୁ ଲୋକଙ୍କୁ ଗୋଟିଏ ଜାଗାରେ ନରଖି ଭିନ୍ନ ଭିନ୍ନ ସ୍ଥାନରେ ରଖିଲେ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଔଷଧ ବଂଟନ ସୁବିଧା ହେବ । କାର୍ଯ୍ୟାଳୟ ଗୁଡିକରେ ଫାଇଲ୍ ପତ୍ର ଗୁଡିକ ସୁରକ୍ଷିତ ସ୍ଥାନରେ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଚାଉଳ, ଡ଼ାଲି, ଔଷଧ,ଟ୍ୟୁବ୍, ଦଉଡ଼ି, ହାଲୋଜିନ୍ ବଟିକା, ଓଆରଏସ୍ ମହଜଦ୍ ରଖିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଲାଇଟ୍ ଓ ଟର୍ଚ୍ଚ ସଜାଡ଼ି ରଖିବାକୁ ଗୁରତ୍ୱ ଦେଇଛନ୍ତି । ନଦୀ, ନାଳ ଓ ଡ଼୍ୟାମ୍ ରେ ପ୍ରବେଶ କରୁଥିବା ବନ୍ୟାଜଳ ପରିମାଣକୁ ପ୍ରତି ଘଂଟାରେ ସତର୍କ ଦୃଷ୍ଟି ରଖି ରିପୋର୍ଟ ଦେବାକୁ କୁହାଯାଇଛି । ସମସ୍ତ କାର୍ଯ୍ୟାଳୟ କଂଟ୍ରୋଲ ରୁମ୍ ହେବ । ତଳିଆ ଅଂଚଳ ଓ ବିପଦସଙ୍କୁଳ ସ୍ଥାନକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ମନୁଷ୍ୟ ଓ ପଶୁ ସମ୍ପଦର ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଛି । ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରିୟ ଅଧିକାରୀ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ମାନେ ଉପସ୍ଥିତ ଥିଲେ ।
Related Stories
November 23, 2024
November 23, 2024
November 23, 2024