ନୂଆଦିଲ୍ଲୀ, ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ୨୦୨୦ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶନିବାର ମ୍ୟାଚ ହାରିବା କାରଣ ଜଣାଇଛନ୍ତି । ମ୍ୟାଚ ପରେ ସେ କହିଛନ୍ତି, ଅପରାଜିତ ଶତକ ହାସଲ କରିଥିବା ଶିଖର ଧୱନଙ୍କ କ୍ୟାଚ ଅନେକ ଥର ଛାଡ଼ିବା ନିଜ ଦଳ ପାଇଁ ମହଙ୍ଗା ପଡ଼ିଛି । ଧୱନ ୫୮ଟି ବଲ ଖେଳି ୧୦୧ ରନ ସଂଗ୍ରହ କରିଥିବାରୁ ଚେନ୍ନାଇ ସୁପର କିଙ୍ଗସକୁ ଦିଲ୍ଲୀ ୫ ୱିକେଟରେ ପରାସ୍ତ କରିଛି ।
ଧୋନୀ ମ୍ୟାଚ ପରେ ପୁରସ୍କାର ବିତରଣ ସମାରୋହରେ କହିଛନ୍ତି ଡ୍ୱେନ ବ୍ରାଭୋ ଆହତ ହେବା କାରଣରୁ ଖେଳିପାରିଲେ ନାହିଁ । ଫଳରେ ଶେଷ ଓଭରରେ ରବୀନ୍ଦ୍ର ଜାଦେଜାଙ୍କୁ ବୋଲିଂ କରିବାକୁ ପଡ଼ିଥିଲା । ଧୋନୀ କହିଛନ୍ତି, ବ୍ରାଭୋ ସୁସ୍ଥ ନଥିଲେ । ସେ ପଡ଼ିଆରୁ ବାହରିବା ପରେ ଆଉ ଆସିପାରି ନଥିଲେ । ମୋ ପାଖରେ ଜାଦେଜା ଅଥବା କର୍ଣ୍ଣ ଶର୍ମା ବୋଲିଂ କରବାର ଏକମାତ୍ର ବିକଳ୍ପ ଥିଲା । ତେଣୁ ମୁଁ ଜାଦେଜାଙ୍କୁ ବାଛିଲି ।
ଧୋନୀ କହିଛନ୍ତି, ଶିଖର ଧୱନଙ୍କ ୱିକେଟ ଚେନ୍ନାଇ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଆମେ ତାଙ୍କର କ୍ୟାଚ ଅନେକ ଥର ଛାଡିଛୁ । ସେ ବ୍ୟାଟିଂ ଜାରି ରଖିଥିଲେ । ପିଚ ସହଜ ହେବା କାରଣରୁ ସ୍ଥିତି ସହଜ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଟିମକୁ ୧୦ ରନ କମ ମିଳିଥିଲା । କିନ୍ତୁ ପରେ ବ୍ୟାଟିଂ କରିଥିବା ଦଳ ୧୦ ରନ ଅଧିକ କରିଥିଲା ।