ଜାମ୍ମୁ କାଶ୍ମୀରର ବାରାମୁଲାର ଯୁବକ ମକବୁଲ ଶେରବାନୀ । ଜାମ୍ମୁ କାଶ୍ମୀରର ଏକୀକରଣ ପାଇଁ ଏହି ଯୁବକ ଜଣଙ୍କ ଅତ୍ୟନ୍ତ ବୁଦ୍ଧିମତାର ସହ କାମ କରି ଶେଷରେ ବଳିଦାନ ଦେଇଥିଲେ ।
ଅକ୍ଟୋବର ମାସରେ ପାକିସ୍ତାନର ସେନା ଟ୍ରାଇବାଲ ମାନଙ୍କର ବେଶରେ ଜାମ୍ମୁ କାଶ୍ମୀରରେ ପ୍ରବେଶ କରି ସାରିଥାନ୍ତି । ସେମାନେ ଧୀରେ ଧୀରେ ବାରାମୁଲା ପହଂଚି ଥାନ୍ତି । । ତେବେ ସେମାନଙ୍କ ନିକଟରେ ମାନଚିତ୍ର ନ ଥିଲା । ତେଣୁ ପାକିସ୍ତାନୀ ସେନା ଶ୍ରୀନଗର କିପରି ଯିବେ ସେ ନେଇ ରାସ୍ତା ଖୋଜୁଥାନ୍ତିା ମକବୁଲ ଚାହୁଁ ନ ଥିଲେ ଯେ ଜାମ୍ମୁ କାଶ୍ମୀର ପାକିସ୍ତାନରେ ମିଶୁ । କିନ୍ତୁ ଏହି ପାକିସ୍ତାନୀ ମାନଙ୍କୁ ମୁକାବିଲା କରିବା ପାଇଁ କେହି ନ ଥାନ୍ତି । ଭାରତୀୟ ସେନା ପହଂଚିବାରେ ବିଳମ୍ବ ହେଉଥାଏ । ମକବୁଲଙ୍କୁ ଲାଗିଲା ଯେ ପାକିସ୍ତାନୀ ମାନଙ୍କୁ କୌଣସି ପ୍ରକାରରେ ଅଟକାଇବାକୁ ପଡିବ । ତାଙ୍କ ହାତରେ ଅସ୍ତ୍ର ଶସ୍ତ୍ର ନଥାଏ । ତେଣୁ ସେ ପାକିସ୍ତାନୀ ମାନଙ୍କୁ ଆଗକୁ ବଢିବାକୁ ନ ଦେବା ପାଇଁ ନିଜର ବୁଦ୍ଧି ପ୍ରୟୋଗ କଲେ ।
ମକବୁଲ ଶେରବାନୀ ସେମାନଙ୍କୁ କହିଲେ ଯେ ସେ ବି ମୁସଲମାନ, ପାକିସ୍ତାନୀ ସେନାର ସୈନିକ ମାନେ ମଧ୍ୟ ମୁସଲମାନ ତେଣୁ ସେମାନଙ୍କୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିବେ । ବାରାମୁଲାରୁ କିପରି ସହଜରେ ଶ୍ରୀନଗରରେ ପହଂଚି ହେବ ତାହା ସେ ଦେଖାଇଦେବେ ।
ଆଜିର ଦିନରେ ବାରାମୁଲାରୁ ଶ୍ରୀନଗର ପହଂଚିବା ପାଇଁ ଦୁଇ ଘଂଟା ଲାଗୁଛି । ସେତେବେଳେ ଗୋଟିଏ ଦିନରେ ବାରାମୁଲାରୁ ଶ୍ରୀନଗର ପହଂଚା ଯାଇ ପାରିଥାନ୍ତା । ଭାରତୀୟ ସେନାକୁ ଆସିବାକୁ ବିଳମ୍ବ ହେଉଥିଲା । ତେଣୁ ମକବୁଲ ସେମାନଙ୍କୁ ତିନି ଦିନ ଧରି ଭିନ୍ନ ଭିନ୍ନ ରାସ୍ତା ବୁଲାଉଥିଲେ । ହେଲେ ସେ ଶ୍ରୀନଗର ଆଡକୁ ଯିବାକୁ ଦେଉ ନ ଥିଲେ । ତିନି ଦିନ ବିତି ଗଲା ପରେ ପାକିସ୍ତାନୀ ସେନାର ମକବୁଲଙ୍କ ଉପରେ ସନେ୍ଦହ ହେଲା । ସେମାନେ ଜାଣି ପାରିଲେ ଯେ ମକବୁଲ ସେମାନଙ୍କୁ ଶ୍ରୀନଗର ପାଇଁ ରାସ୍ତା ଦେଖାଇବା ପରିବର୍ତେ ତାଙ୍କୁ ଭ୍ରମିତ କରି ସମୟ ନଷ୍ଟ କରୁଛନ୍ତି । ତେଣୁ ସେମାନେ ମକବୁଲଙ୍କୁ ଫାସି ଦେଇ ତାଙ୍କର ଶରୀରକୁ ଗଛରେ ଝୁଲାଇ ଦେଇଥିଲେ । ତାଙ୍କର ମର ଶରୀର ତିନି ଦିନ ଧରି ଗଛରେ ଝୁଲି ରହିଥିଲା । ଭାରତୀୟ ସେନା ସେଠାରେ ପହଂଚିବା ପରେ ୧୧ ନଭେମ୍ବର ଦିନ ତାଙ୍କର ଶରୀରକୁ ଗଛରୁ ଓହ୍ଲାଇ ଅନ୍ତିମ ସଂସ୍କାର କରା ଯାଇଥିଲା ।
ଏହି କାଶ୍ମୀରୀ ଯୁବକଙ୍କ ପାଇଁ ପାକିସ୍ତାନୀ ଟ୍ରାଇବାଲଙ୍କ ବେଶରେ ଆକ୍ରମଣ କରିଥିବା ପାକିସ୍ତାନୀ ସେନା ଶ୍ରୀନଗରରେ ପହଂଚିବା ପାଇଁ ଡେରୀ ହୋଇଥିଲା । ଏହି ସମୟ ମଧ୍ୟରେ ଭାରତୀୟ ସେନା ଶ୍ରୀନଗରରେ ପହଂଚି ଯାଇଥିଲା । ଏହା ଦ୍ୱାରା ଶ୍ରୀନଗରକୁ ରକ୍ଷା କରା ଯାଇ ପାରିଥିଲା ।
ଜାମ୍ମୁ କାଶ୍ମୀରର ଏକୀକରଣ ପାଇଁ ବଳିଦାନ ଦେଇଥିବା ଏହି ଯୁବକ ମକବୁଲ ଶେରବାନୀଙ୍କ ସ୍ମୃତି ଚାରଣ କରାଯିବାର ଆବଶ୍ୟକତା ରହିଛି ।
(କ୍ରମଶଃ)