ବ୍ରହ୍ମପୁର : ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଆଗାମୀ ଦୁର୍ଗାପୂଜା ଓ କୁମାରପୂର୍ଣ୍ଣିମା ପାଳନ ପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ୫ଟିି ବିଷୟବସ୍ତୁ ଉପରେ ଏସ୍ପି ଗୁରୁତ୍ୱଦେଇ ଏହା ଉପରେ ତୀକ୍ଷଣ ନଜର ରଖିବାକୁ ଅତିରିକ୍ତ ଏସ୍ପି, ଏସ୍ଡିପିଓ ଓ ବିଭିନ୍ନ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ଚାନ୍ଦା, ଦଶହରା ମାମୁଲି ଓ ଦାଦାବଟି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜୁଆଖେଳ ଓ ବେଆଇନ୍ ମଦ କାରବାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୁରୁଣା ଅପରାଧିଙ୍କୁ ଚିହ୍ନଟ ସହ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅପରାଧିଙ୍କୁ ଚିହ୍ନଟକରି ସେମାନଙ୍କ ବିରୋଧରେ ୧୧୦ ସିଆର୍ପିସିରେ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଗାପୂଜା ସମୟରେ କୋଭିଡ୍-୧୯ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁରୁଣା ଅପରାଧି ଓ ଅପରାଧିକ ପୃଷ୍ଟଭୂମିରେ ଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡା ନଜର ରଖିବା ସହ ଦୁର୍ଗାପୂଜା ଓ କୁମାରପୂର୍ଣ୍ଣିମାକୁ ସୁରୁଖୁରୁରେ ନିଜ ନିଜ ଅଞ୍ଚଳରେ ପାଳନ କରିବାକୁ କୁହାଯାଇଥିବା ବେଳେ ରାତ୍ରକାଳୀନ ପାଟ୍ରୋଲିଂକୁ କଡାକଡି କରିବାକୁ ମଧ୍ୟ କୁହାଯାଇଛି । ଜିଲ୍ଲା ପ୍ରଶାସନର ବିନା ଅନୁମତିରେ କୌଣସି ଦୈବ ପୀଠ ଓ ଅସ୍ଥାୟୀ ମଣ୍ଡପରେ ଯେଭଳି ପୂଜାର୍ଚ୍ଚନା ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଏସ୍ପିଙ୍କ ସମେତ ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାଏ, ପ୍ରଶାନ୍ତ ମିଶ୍ର, ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର, ଚିକିଟି ଏସ୍ଡିପିଓ ସୁରେନ୍ଦ୍ରନାଥ ମୁର୍ମୁଙ୍କ ସମେତ ସମସ୍ତ ଥାନାଧିକାରୀ ଉପସ୍ଥିତ ଥିଲେ ।
Related Stories
November 23, 2024
November 23, 2024
November 23, 2024