
ଭୁବନେଶ୍ୱର– ଆତ୍ମନିର୍ଭର ଭାରତ ଅଧୀନରେ ଦେଶର ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମିଳିତ ଭାବେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଗବେଷଣା କେନ୍ଦ୍ର ସ୍ଥାପନ କେନ୍ଦ୍ର ପାଇଁ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପ୍ରସ୍ତାବ ରଖିଛନ୍ତି । ଗତକାଲି ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆନୁକୂଲ୍ୟରେ ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ସେ ଏହା କହିଛନ୍ତି । ଓଡ଼ିଶା ବିଗତ ୨୦ ବର୍ଷ ଧରି ଏକ ସ୍ଥିର ଓ ମଜବୁତ ସରକାର ପ୍ରଦାନ କରିଆସିଛି । ଯାହା ଉପଯୁକ୍ତ ରାଜନୈତିକ ପରିବେଶ ସୃଷ୍ଟି କରିବା ସହ ପୁଞ୍ଜିନିବେଶକମାନଙ୍କୁ ଆକୃଷ୍ଟ ଓ ଶିଳ୍ପାୟନର ଅଗ୍ରଗତି କରିବା ପାଇଁ ସ୍ଥିର ନୀତି ନିର୍ଦ୍ଧାରଣ ମଜବୁତ୍ ଢାଂଚା ନିର୍ମାଣ କରିପାରିଛି । ଏତଦ୍ବ୍ୟତୀତ ରାଜ୍ୟରେ ବିପୁଳ ଖଣିଜ ସଂପଦ ଏବଂ ପ୍ରାକୃତିକ ସମ୍ବଳ ସହ ଦେଶର ୧୧ ଶତକଡ଼ା ଜଳ ଗଚ୍ଛିତ ରହିଛି । ସେସବୁ ଦୃଷ୍ଟିରୁ ଓଡ଼ିଶାରେ ଗବେଷଣା କେନ୍ଦ୍ର ସ୍ଥାପନ ହେଲେ ତାହା ଆଗାମୀ ଦିନରେ ଇସ୍ପାତ୍ ଶିଳ୍ପର ଉନ୍ନତ ଉତ୍ପାଦକତାରେ ସହାୟକ ହେବା ସହ ଅନ୍ୟାନ୍ୟ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବ । ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ଟ୍ୟାକ୍ସ, କଂଚାମାଲ ଓ ଦର ନିର୍ଦ୍ଧାରଣ ଭଳି ସମସ୍ୟାର ସମାଧାନ କରିବା ପାଇଁ ସରକାର ସର୍ବଦା ପଥ ଉନ୍ମୁକ୍ତ ରଖିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ ସେ କହିଥିଲେ । ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମନିର୍ଭର ଭାରତ ବ୍ୟାଖ୍ୟା କରି ଏହା ଆୟ ଉପାର୍ଜନ କରି ନିଜେ ବଂଚିବା ସହ କର୍ମସଂସ୍ଥାନ ସୃଷ୍ଟି କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମା, ଜିନ୍ଦଲ ଇସ୍ପାତ ଓ ଶକ୍ତି ଲିଃର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ, ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ମାଧବ ବୈଦ୍ୟ, ହଳଦିଆ ପେଟ୍ରୋକେମିକାଲ୍ସର ସର୍ବକାଳୀନ ନିର୍ଦ୍ଦେଶକ ଶ୍ରୀ ସୁଭାଷେନ୍ଦୁ ଚାଟାର୍ଜୀ, ବିଶାଖାପାଟଣା ଇସ୍ପାତ କାରଖାନାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୋଷ କୁମାର ରଥ ପ୍ରମୁଖ ଅଂଶଗ୍ରହଣ କରି ପେଟ୍ରୋକେମିକାଲ୍ସ ଶିଳ୍ପକୁ ଆଧାର କରି ନିମ୍ନରେ ବିକଶିତ ହେଉଥିବା ଅନ୍ୟାନ୍ୟ କ୍ଷୁଦ୍ର ଶିଳ୍ପସଂସ୍ଥାଗୁଡ଼ିକ କିପରି ବଂଚିରହି ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇପାରିବେ ସେ ସମ୍ବର୍ନ୍ଧରେ ଆଲୋଚନା କରିଥିଲେ । ଓଡ଼ିଶାରେ ପେଟ୍ରୋକେମିକାଲ୍ସକୁ ନେଇ ଅନେକ ସମ୍ଭାବନା ରହିଛି ଯାହା ପ୍ରକୃତରେ ଆତ୍ମନିର୍ଭର ଭାରତ ସୃଷ୍ଟି କରିବାରେ ସାହାଯ୍ୟ କରିପାରିବ ବୋଲି ବକ୍ତାମାନେ ମତପ୍ରଦାନ କରିଥିଲେ ।