
-
ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର– ନୟାଗଡ ଜିଲ୍ଲା ନୟାଗଡ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ୫ ବର୍ଷୀୟା ନିରୀହା କନ୍ୟା “ପରୀ”କୁ ଗତ ଜୁଲାଇ ୧୪ ତାରିଖରେ ଖେଳୁଥିବା ସମୟରେ ଅପହରଣ କରାଯାଇଥିଲା ଏବଂ ଠିକ୍ ସେହି ମାସ ୨୩ ତାରିଖରେ ତାଙ୍କ ଘର ନିକଟରେ ଥିବା ପୋଖରୀରୁ ଏକ ବ୍ୟାଗ ଭିତରେ ବନ୍ଧା ହୋଇ ତାହାର ଗଳିତ ଶବ ମିଳିଥିଲା । ସଦର ଥାନାରେ ଗତ ୧୪ ତାରିଖରେ “ପରୀ”ର ବାପା ଅଭିଯୋଗ କରିଥିଲେ ମଧ୍ୟ ଘଟଣା ଘଟିବାର ୩ ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅପରାଧିଙ୍କୁ ଧରିବା ପାଇଁ କୌଣସି ପଦକ୍ଷେପ ନେଇନଥିଲା । ଏହାକୁ ବିରୋଧ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ପିଟିସନ ଦାଖଲ କରିଥିଲେ । ମାନ୍ୟବର କମିଶନ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ନୟାଗଡ ଏସି.ପି.ଙ୍କୁ ନୋଟିସ ଜାରି କରିବା ସହିତ ଏହି ଘଟଣାକୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଘଟଣାରେ କି କି ପଦକ୍ଷେପ ନେଇଛ ତିନି ସପ୍ତାହ ମଧ୍ୟରେ ଜଣାଇବାକୁ ମାନ୍ୟବର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।