ଭୁବନେଶ୍ୱର– ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇଟି ନୂତନ ଆଂଚଳିକ କାର୍ଯ୍ୟାଳୟ ବଲାଙ୍ଗୀର ଓ କୋରାପୁଟରେ ପ୍ରତିଷ୍ଠା ପାଇଁ ନିଷ୍ପତି ହୋଇଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ନୂତନ ଆଂଚଳିକ କାର୍ଯ୍ୟାଳୟ, ବଲାଙ୍ଗୀରର କର୍ତୃତ୍ୱରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ରହିବ । ସେହିଭଳି କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ, କୋରାପୁଟର କର୍ତୃତ୍ୱାଧୀନ ରହିବେ । ବଲାଙ୍ଗୀର ଓ କୋରାପୁଟ ଆଂଚଳିକ ପ୍ରଦୂଷଣ କାର୍ଯ୍ୟାଳୟ ପ୍ରତିଷ୍ଠା ଓ କାର୍ଯ୍ୟ ସମ୍ବନ୍ଧୀୟ ବ୍ୟୟ ରାଜ୍ୟ ବଜେଟ୍ରୁ ଭରଣା କରାଯିବ ନାହିଁ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଖର୍ଚ୍ଚକୁ ନିଜସ୍ୱ ସମ୍ବଳରୁ ତୁଲାଇବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି । ଏହା ଛଡ଼ା ଗଜପତି(ପାରଳାଖେମୁଣ୍ଡି)ଠାରେ ଅନ୍ୟ ଏକ ନୂତନ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଖୋଲିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରସ୍ତାବ ଦେଇଥିଲେ । ଗଜପତି ଓ କନ୍ଧମାଳ ଜିଲ୍ଲା ଏହି ନୂତନ ଆଂଚଳିକ କାର୍ଯ୍ୟାଳୟର କର୍ତୃତ୍ୱରେ ରହିବା ପାଇଁ ପ୍ରସ୍ତାବରେ ଉଲ୍ଲେଖ ଥିଲା । ମାତ୍ର ଦୂରତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ରାୟଗଡ଼ା ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ କର୍ତୃତ୍ୱରେ ଓ କନ୍ଧମାଳ ଜିଲ୍ଲା ବ୍ରହ୍ମପୁର ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ କର୍ତୃତ୍ୱାଧୀନ ରହିବ ବୋଲି ନିଷ୍ପତି ହୋଇଛି । ଏହା ପୂର୍ବରୁ ପାରାଦୀପ, କଳିଙ୍ଗନଗର ଓ ଝାରସୁଗୁଡ଼ାଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ୱୀକୃତି ମିଳିସାରିଛି । ଏହା ଛଡ଼ା ରାଜ୍ୟର ରାଉରକେଲା, କଟକ, ସମ୍ବଲପୁର, ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କେଉଁଝର ଓ ରାୟଗଡ଼ାରେ ୯ଟି ଆଂଚଳିକ ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ବଲାଙ୍ଗୀର ଓ କୋରାପୁଟ ନୂତନ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟକୁ ମିଶାଇଲେ ସାରା ରାଜ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ବମୋଟ ୧୪ଟି ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ କାର୍ଯ୍ୟ କରିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।
Related Stories
December 22, 2024