Related Stories
November 23, 2024
ମାଲକାନଗିରି– ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ଏମ୍ ଭି ୭୯ ଗ୍ରାମସ୍ଥିତ ନୂଆଗୁଡା ଗ୍ରାମକୁ ଦୀର୍ଘ ବର୍ଷ ଧରି ରାସ୍ତାଟିଏ ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିଲା। ଏଥିପାଇଁ ଗ୍ରାମବାସୀ ବାରମ୍ଵାର ପ୍ରଶାସନ ର ଦ୍ୱାରସ୍ଥ ହୋଇ ଆସୁଥିଲା ବେଳେ ରାସ୍ତା ପାଇଁ ସଠିକ ସ୍ଥାନ ମିଳୁନଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନଥିଲା। ଚଳିତ ବର୍ଷ ଗ୍ରାମବାସୀ ସ୍ଥାନୀୟ ବିଡିଓ ଉମାଶଙ୍କର ଦଲେଇ ଙ୍କୁ ପୁଣି ଥରେ ଗାଁକୁ ରାସ୍ତା ନିର୍ମାଣ ପାଇଁ ଗୁହାରି କରିବା ପରେ ଗାଆଁ କୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକ ଓ ନିକଟସ୍ଥ ସେନା ଛାଉଣି ମୁଖ୍ୟଙ୍କ ସହ ଆଲୋଚନା ହୋଇଥିଲା। ତେବେ ଏହାସତ୍ତ୍ୱେ ଗାଁକୁ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକୀୟ ଜାଗା ମିଳିନଥିବାରୁ ପ୍ରଶାସନ ପକ୍ଷରୁ ନିକଟସ୍ଥ ଜମି ମାଲିକଙ୍କ ସହ ଆଲୋଚନା କରାଯିବାକୁ ନିଷ୍ପତ୍ତି ନିଆଗଲା। ଏଥିପାଇଁ ଗତକାଲି ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ପରିଦର୍ଶକ କେ ଚୀନା ରାଓ, ତାଣ୍ଡବାଇ ରାଜସ୍ୱ ନିରୀକ୍ଷକ କାହ୍ନୁ ଚରଣ ସ୍ଵାଇଁ ଓ ଅନ୍ୟ କର୍ମଚାରୀ ନୂଆଗୁଡା ଗ୍ରାମକୁ ଯାଇ ନିକଟରେ ଥିବା ପଟା ଜମି ମାଲିକ ସହ ଆଲୋଚନା କରିବା ସହ ରାସ୍ତା ନିର୍ମାଣ ପାଇଁ ଜାଗା ଚିହ୍ନଟ କରିଥିଲେ। ଏଥିସହ ଏହି ରାସ୍ତା ପାଇଁ ଷ୍ଟ୍ରେସ ମ୍ୟାପିଂ ଓ ଆବଶ୍ୟକୀୟ କାଗଜପତ୍ର ତିଆରି କରି ମୋଟୁ ତହସିଲଦାର ଙ୍କ ଠାରେ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ପାଇଁ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକୀୟ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହେବା ସହ କାଲିମେଳା ବିଡିଓଙ୍କ ସହ ଆଲୋଚନା ପରେ ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି ତହସିଲଦାର ଶ୍ରୀ ମିଶ୍ର କହିଛନ୍ତି। ବର୍ଷ ବର୍ଷ ଧରି ଗାଆଁ କୁ ରାସ୍ତା ନିର୍ମାଣ ପାଇଁ ଗୁହାରୀ କରି ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପ୍ରକିୟା ଆରମ୍ଭ ହେବାରୁ ନୂଆଗୁଡା ଗ୍ରାମବାସୀଙ୍କ ମଧ୍ୟରେ ପୁଣି ଆଶା ସଞ୍ଚାର ହୋଇଥିବା ବେଳେ ଏହା କେବେ ପୂରଣ ହେବ ଦେଖିବାକୁ ବାକି ରହିଲା।