

ଗତକାଲି ସଂନ୍ଧ୍ୟାରେ ବନ୍ୟାପାଣିର ପ୍ରଖର ସ୍ରୋତ ସୋରଡ଼ା-ବ୍ରହ୍ମପୁର ରାସ୍ତାର କେତେକ ସ୍ଥାନରେ ଧୋଇନେବା ସହ ଘାଇ ହେବା ଦ୍ୱାରା ବ୍ରହ୍ମପୁର-ସୋରଡ଼ା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।
ସେହିପରି ଆସିକା-ବ୍ରହ୍ମପୁର ରାସ୍ତାର ରାମଚନ୍ଦ୍ରପୁର ଠାରେ ବନ୍ୟାପାଣି ଚାରିଫୁଟ୍ ଉଚ୍ଚତାରେ ପ୍ରବାହିତ ହେବା ଫଳରେ ଏହି ରୁଟ୍ ରେ ଯାତାୟାତ ଠପ୍ ହୋଇଯାଇଥିଲା ।

ପାତ୍ରପୁର ବ୍ଲକରେ ମଧ୍ୟ ବିଭିନ୍ନ ସ୍ଥାନରେ ବନ୍ୟା ଓ ବର୍ଷାଜଳ ଦ୍ୱାରା ରାସ୍ତାଘାଟ ଧୋଇଯାଇଥିବା ଓ କେତେକ ଲୋକଙ୍କ ଘରେ ପାଣି ପଶିଯାଇଥିବା ସୂଚନା ମିଳିଛି । ଏପରିକି ଅନ୍ୟ କେତେକ ସ୍ଥାନରେ ମାଟି ଅତଡ଼ା ଧସି ରାସ୍ତା ବନ୍ଦ ହୋଇଯାଇଛି । ଗତକାଲି ସଂନ୍ଧ୍ୟା ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୬୪ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି ବୋଲି ବନ୍ୟା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ସୂଚନା ମିଳିଛି ।
ଅନୁରୂପ ଭାବେ ବ୍ରହ୍ମପୁର ସହରରେ ବର୍ଷା ବିତ୍ପାତ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରିପାରିନଥିବା ଜଣାପଡିଛି । ଡ଼୍ରେନ୍ ପାଣି ନିଷ୍କାସନରେ ସମସ୍ୟା ହେବାରୁ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଡ଼୍ରେନ୍ ର ଆବର୍ଜନା ପାଣି ରାସ୍ତାରେ ଉଛୁଳି ଲୋକଙ୍କ ଘରେ ପଶିଥିବା ଦେଖିବାକୁ ମିଳିଛି । ସହରର ନୀଳକଣ୍ଠନଗର ରାସ୍ତାରେ ଥିବା ସୁବୁଦ୍ଧି ବସ୍ତିରେ ପାଣି ପଶିଛି । ସେଠାରେ ପ୍ରାୟ ୨୦ ପରିବାର ରହି ଆସୁଥିବା ବେଳେ ବର୍ଷା ହେଲେ ଘରେ ଆଣ୍ଠୁଏ ଉଚ୍ଚରେ ପାଣି ଜମୁଛି । ଓଡ଼ିଆରପି ରାସ୍ତା କରିବା ପାଇଁ ଡ଼୍ରେନ୍ ମରାମତି କରାଯାଇଛି । କିନ୍ତୁ ଡ଼୍ରେନରେ ବର୍ଷାପାଣି ନିଷ୍କାସନ ନହୋଇ ଏହି ବସ୍ତିରେ ପଶିଛି । ଫଳରେ କରୋନା ସମୟରେ ମଧ୍ୟ ଲୋକେ ଘରେ ରହିବା କଷ୍ଟକର ହୋଇପଡିଛି ।

ବସ୍ତିରେ ପାଣି ପଶିବା ଖବର ପାଇ ବିଏମସି କମିଶନର ସିଦ୍ଧେଶ୍ୱର ବାଳିରାମ ବୋଦାର ପହଂଚି ଲୋକଙ୍କୁ ଆଶ୍ୱାସନା ଦେବା ସହିତ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଯୋଜନା କରାଯାଉଛି ବୋଲି କହିଥିଲେ । ଅନ୍ୟପକ୍ଷରେ ତୁରନ୍ତ ବନ୍ୟା କ୍ଷୟକ୍ଷତିର ସର୍ବେକ୍ଷଣ କରି ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବା ପାଇଁ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀ ମାନେ ଦାବି କରିଛନ୍ତି ।