
ଲାଗି ରହିଛି ବର୍ଷା, ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜିଲ୍ଲାପl
ବ୍ରହ୍ମପୁର : ଦୁଇ ଦିନ ହେଲା ସହର ତଥା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ହେଉଥିବା ବର୍ଷା ଯୋଗୁଁ ତଳିଆ ଅଂଚଳ ଓ ବସ୍ତିବାସିନ୍ଦା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଘୁଚାପ ଦୁର୍ବଳ ହେଉଥିବାରୁ ଏବେ ଜିଲ୍ଲାରେ ଆଗକୁ ବିଜୁଳି ଓ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବ ବୋଲି ଗୋପାଳପୁର ଡ଼ପଲାର୍ ରାଡାର କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି ।
ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଜଳଘେରି ସୃଷ୍ଟି ହେବା ସହ ଅନେକ ସ୍ଥାନରେ ଘରେ ପାଣି ପଶି ଯାଇଛି । ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣିର ସୁଅ ଯାଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଓ ଚାଷ ଜମି ଗୁଡ଼ିକ ଜଳମଗ୍ନ ହୋଇଯାଇଛି । ଅନ୍ୟପଟେ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସ୍କୁଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି ଯଦି ତଳିଆ ଅଂଚଳ ଓ ବସ୍ତିଗୁଡ଼ିକରେ ପରିସ୍ଥିତି ଅସମ୍ଭାଳ ହୁଏ ତେବେ ସେମାନଙ୍କୁ ସ୍କୁଲ ଗୃହକୁ ସ୍ଥାନାନ୍ତରିତ କରିବା ପାଇଁ ଯୋଜନା କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଂଚଳ ଗସ୍ତ କରି ଜିଲ୍ଲାପାଳ ଓ ବିଏମସି କମିଶନର ସ୍ଥିତି ଅନୁଧ୍ୟାନ କରୁଛନ୍ତି l