

Related Stories
April 29, 2025
ହରିଚନ୍ଦନପୁର-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ପୋଲିସ ପ୍ରଲ୍ଲୋଭନର ବସବର୍ତ୍ତି ହୋଇ ତଦନ୍ତ ନକରି ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ରାଜମିସ୍ତ୍ରୀଙ୍କୁ ଭାଡାରୁ ପଡି ମୃତ୍ୟୁ ଘଟିଥିବାର ରୂପ ଦେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେବି ତଦନ୍ତ ହେବ ହେବ କହି ପୋଲିସ ଦିନ ଗଡାଉଥିବାରୁ ଦୀର୍ଘ ୪ଦିନ ଧରି ଶବ ସତ୍କାର ବଦଳରେ ନ୍ୟାୟ ଆଶାରେ ଘର ବାରଣ୍ଡାରେ ପଡ଼ିରହିଥିଲା ରାଜମିସ୍ତ୍ରୀଙ୍କ ମରଶରୀର । ପୋଲିସର ନିରବତାକୁ ନେଇ ମୃତକଙ୍କ ପରିବାର ପୁଣିଥରେ ଗତ ସୋମବାର ଦୈତାରୀ ଥାନା ଦ୍ବାରସ୍ଥ ହୋଇ ବମ୍ ବିସ୍ଫୋରଣରେ ମୃତ୍ୟୁ ଘଟିଛି ଓ ତାହାର ସଠିକ୍ ତଦନ୍ତ ନିମନ୍ତେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିଲେ । ହେଲେ ପୋଲିସର ତଦନ୍ତ ଶୂନକୁ ନେଇ ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ସୋମବାର ସନ୍ଧ୍ୟାରେ ମରଶରୀରକୁ ସତ୍କାର କରିଥିଲେ । ହେଲେ ଘଟଣାର ୪ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସର ତଦନ୍ତ କ’ଣ ପାଇଁ ଆରମ୍ଭ ହୋଇନାହିଁ ତାହାକୁ ଜନସାଧାରଣରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ପୂର୍ବ ସୂଚନା ଯେ ଗତ ଶୁକ୍ରବାର ୧୧ଟା ସମୟରେ ବାଙ୍ଗୁରୁଶୁଣି ଗ୍ରାମର ରାଜମିସ୍ତ୍ରୀ ଜୟପାଲ ପୃର୍ତ୍ତି ସାନଶିଆଡିମାଳ ଗ୍ରାମର ମଦନ ମହାନ୍ତଙ୍କ ଘର ଗୁଡ଼ିକର ପ୍ଲାଷ୍ଟର କାମ କରୁଥିଲେ । ଉକ୍ତ ଘର ଭିତରେ ବନ୍ୟଜନ୍ତୁ ଶିକାର ନିମନ୍ତେ ଗଚ୍ଛିତ ରଖାଯାଇଥିବା ବମ୍ ଗୁଡ଼ିକ କୌଣସି କାରଣରୁ ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଉକ୍ତ ଘର ମଧ୍ୟରେ କାମ କରୁଥିବା ରାଜମିସ୍ତ୍ରୀ ଜୟପାଲଙ୍କ ମୃତ୍ୟୁ ଘଟିଥିବା ପରିବାର ସହ ଘର ମାଲିକ ମଦନ ମହାନ୍ତ ପ୍ରକାଶ କରିଛନ୍ତି । ଏନେଇ ନ୍ୟାୟ ଆଶାରେ ମୃତକଙ୍କ ପରିବାର ଦୈତାରୀ ଥାନାରେ ବାରମ୍ବାର ଲିଖିତ ସହ ମୌଖିକ ଅଭିଯୋଗ କରିଆସୁଥିଲେ ମଧ୍ୟ କାହା ଚାପରେ ଏପର୍ଯ୍ୟନ୍ତ ଘଟଣାର ତଦନ୍ତ କରାଯାଉନାହିଁ । ପରିବାର ଓ ଗ୍ରାମବାସୀଙ୍କ କହିବା ଅନୁସାରେ ଘର ମାଲିକ ମଦନ ପୋଲିସ କେଶରୁ ବଞ୍ଚିବା ପାଇଁ ରାଜନୈତିକ ଚାପ ଓ ପୋଲିସକୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଘଟଣାର ତଦନ୍ତ ବନ୍ଦ କରାଇଛନ୍ତି । ଯାହାକୁ ନେଇ ପୋଲିସ ତଦନ୍ତ କରିବା ବଦଳରେ ଘଟଣା ସମ୍ପର୍କରେ ନଜାଣିବା ଭଳି ହାତବାନ୍ଧି ବସିଥିବା ନେଇ ମୃତକଙ୍କ ପରିବାରରେ ନ୍ୟାୟର ଆଶା ମଉଳିବାକୁ ବସିଛି । ପ୍ରଥମେ କେଉଁ ଉଦ୍ଦେଶ୍ୟରେ ଘର ମଧ୍ୟରେ ବେନିୟମ ଭାବେ ବମ୍ ଗୁଡ଼ିକ ଗଚ୍ଛିତ କରାଯାଇଥିଲା, ଯେଉଁଥିରେ ଜଣେ ନିରିହ ଗରିବ ଆଦିବାସୀଙ୍କ ପ୍ରାଣ ଗଲା, ତାହାର ନିହାତି ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ସଠିକ୍ ତଦନ୍ତ କରାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ଦାବି ହୋଇଛି ।