ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଆଜିଠାରୁ ସପ୍ତମ ପର୍ଯ୍ୟାୟ ହେଲଥ ସ୍କ୍ରିନିଂ ଆରମ୍ଭ ହୋଇଛି । ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ୧୨୦ ଟି ଟିମ୍ ନିୟୋଜିତ ରହିଛନ୍ତି । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ବାଳିରାମ ସିଦ୍ଧେଶ୍ୱର ବୋଦାର । ଏଥିରେ ର୍ୟାପିଡ୍ ସେସପନ୍ସ ଟିମ୍, ପାରା ମେଡିକାଲ କର୍ମଚାରୀ, ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀ କର୍ମୀ ମାନେ ସାମିଲ୍ ହୋଇଛନ୍ତି । ରୋଗାକ୍ରାନ୍ତ ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ସହ କେତେଜଣ ଅସୁସ୍ଥ ରହିଛନ୍ତି ତାହା ମଧ୍ୟ ପଞ୍ଜିକରଣ କରିବା ଲକ୍ଷ୍ୟ ନେଇ ଏହି ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଲୋକଙ୍କ ରକ୍ତଚାପ, ଅମ୍ଳଜାନ ସ୍ତର ପରୀକ୍ଷା କରାଯିବା ସହିତ କେତେଜଣ ରୋଗଗ୍ରସ୍ତ ଅଛନ୍ତି ସେମାନଙ୍କୁ ତାଲିକାଭୁକ୍ତ କରାଯାଉଛି ବୋଲି ସେ କହିଛନ୍ତି । ସହରର ବିଭିନ୍ନ ସ୍ଥାନରେ କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଉଛି । ପଚଂସୂତ୍ରୀ ନିୟମକୁ ବ୍ୟବସାୟୀ ମାନେ ପ୍ରାୟତଃ ମାନୁନାହାଁନ୍ତି । ପଚଂସୂତ୍ରୀ ନିୟମ ପ୍ରକାରେ ଯଦି କୌଣସି ଦୋକାନରେ ବ୍ୟାରିକେଟ, ମାସ୍କ, ସାନିଟାଇଜର୍, ଗୋଲେଇ, ପଞ୍ଜିକରଣ ବ୍ୟବସ୍ଥା ନଥିବ କୋଭିଡ଼୍ ନିୟମ ପ୍ରକାରେ ସମ୍ପୃକ୍ତ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଏଥିପାଇଁ ୪ଟି ସ୍କ୍ୱାଡ୍ ଗଠନ କରାଯାଇଛି । ବିଏମସି ଏନଫୋର୍ସମେଂଟ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି । ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏନଫୋର୍ସମେଂଟକୁ କଡ଼ାକଡ଼ି କରାଯିବ । ସହରରେ ବହୁ ଠେଲା ଜଳଖିଆ ଦୋକାନ ଓ ରାସ୍ତାକଡ଼ ଫାଷ୍ଟଫୁଡ୍ ଦୋକାନ ରହିଛି । ଏହି ଦୋକାନ ମାନଙ୍କରେ ଗ୍ରାହକଙ୍କୁ ଖାଇବାକୁ ମନା କରାଯାଇଛି । କେବଳ ପାର୍ସଲ୍ ନେଇପାରିବେ । ଯଦି ହୋଟେଲରେ ବସି ଖାଇବାକୁ ଦିଆଯିବ ଏବଂ ଗହଳି କରାଯିବ ତାହାଲେ ସମ୍ପୃକ୍ତ ହୋଟେଲ କର୍ତୃପକ୍ଷ ଓ ଦୋକାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତମାନ ସହରରେ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନାହିଁ । କେତେକ ଅଂଚଳରୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏହି ଅଂଚଳରୁ ନିୟମିତ ଏବଂ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି ସେହି ଅଂଚଳକୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା କରାଯିବ । ପରିସ୍ଥିତି ଓ ସମୟକୁ ଆଧାର କରି ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି ।
Related Stories
November 24, 2024